Categories: ଖେଳ

ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ : ଭାରତୀୟ ଦଳରେ ରାଖାଲ, ରମେଶ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)-
ଦକ୍ଷିଣ କୋରିଆର ଇଞ୍ଚତ୍ଅନଠାରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୪ ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଯାଉଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ରାଖାଲ କୁମାର ସେଠୀ ଓ ଭି. ରମେଶ ରାଓ। କୋରିଆ ହୁଇଲଚେୟାର ଫେନ୍‌ସିଂ ସଂଘ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରିଲେ ପ୍ରତିଯୋଗୀଙ୍କ ପାଇଁ ଟୋକିଓ ପାରାଅଲିମ୍ପିକ୍ସରେ ଭାଗନେବାର ସୁଯୋଗ ସୃଷ୍ଟି ହୋଇପାରିବ। ଚଳିତବର୍ଷ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବାରୁ ରାଖାଲ ଓ ରମେଶଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଛି। ରାଖାଲ ଜାତୀୟ ପ୍ରତିଯୋଗିତାରେ ଦଳଗତ ୨ଟି ସ୍ବର୍ଣ୍ଣ ଏବଂ ରମେଶ ବ୍ୟକ୍ତିଗତ ଏବଂ ଦଳଗତ ବିଭାଗରେ ମୋଟ ୩ ସ୍ବର୍ଣ୍ଣ ପଦକଲାଭ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବାପାଇଁ ପ୍ରତିଯୋଗୀଙ୍କୁ ନିଜର ସମସ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି। ଏଥିପାଇଁ ପାଖାପାଖି ୨ ଲକ୍ଷ ୧୬ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ରାଖାଲ ପ୍ରକାଶ କରିଛନ୍ତି। ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଅନ୍ୟ ୨ ପ୍ରତିଯୋଗ ହେଲେ ସନ୍ଦିପ ଗୌରବ ଓ ବିନୟ ସାବ୍‌ଲେ।

Share