Categories: ଖେଳ

ବିଶ୍ୱ ହେଭିଓ୍ବେଟ୍‌ ଟାଇଟଲ ଜିତିଲେ ରୁଇଜ୍‌

ନ୍ୟୁୟର୍କ, ୩ା୬(ଏଏଫ୍‌ପି)-ହେଭିଓ୍ବେଟ୍‌ ବକ୍ସିଂ ଇତିହାସରେ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଆମେରିକାର ଆଣ୍ଡି ରୁଇଜ୍‌ ଜୁନିୟର। ସ୍ଥାନୀୟ ମାଡିସନ ସ୍କୋୟାର ଗାର୍ଡେନରେ ଅନୁଷ୍ଠିତ ଏକ ଲଢେଇରେ ଆନ୍ଥୋନୀ ଜୋଶୁଆଙ୍କୁ ପରାସ୍ତ କରି ତାଙ୍କଠାରୁ ଆଇବିଏଫ୍‌, ଡବ୍ଲ୍ୟୁବିଓ ଏବଂ ଡବ୍ଲ୍ୟୁବିଏ ଓ୍ବାଲର୍‌ଡ ହେଭିଓ୍ବେଟ୍‌ ଟାଇଟଲ ଛଡ଼ାଇନେଇଛନ୍ତି। ପ୍ରଫେସନାଲ କ୍ୟାରିୟରରେ ବ୍ରିଟେନ ବକ୍ସର ଜୋଶୁଆଙ୍କ ଏହା ଥିଲା ପ୍ରଥମ ପରାଜୟ। ୭ ରାଉଣ୍ଡରେ ଶେଷ ହୋଇଥିବା ଏହି ମୁକାବିଲାରେ ଜୋଶୁଆଙ୍କୁ ଅଣ୍ଡର ଡଗ୍‌ ରୁଇଜ ୪ଥର ତଳେ ପକାଇଦେଇଥିଲେ। ଫାଇଟ୍‌ ପୂର୍ବରୁ ବୁକ୍‌ମେକରଙ୍କ ଦୃଷ୍ଟିରେ ଜୋଶୁଆ ୨୧ ନକ୍‌ ଆଉଟ ସମେତ ୨୨ ବିଜୟ ସହ ୧-୨୫ ଫେଭରାଇଟ୍‌ ଥିଲେ। ଏହି ପରାଜୟ ଦ୍ୱାରା ସେ ଅତୀତର ପ୍ରଭାବଶାଳୀ ଚାମ୍ପିୟନ ଲେନକ୍ସ ଲିଓ୍ବିସ ଓ ମାଇକ୍‌ ଟାଇସନଙ୍କ ସହିତ ଯୋଗ ଦେଇଛନ୍ତି। ଯେଉଁମାନଙ୍କ ପରାଜୟ ବକ୍ସିଂପ୍ରେମୀମାନଙ୍କୁ ସ୍ତମ୍ବୀଭୂତ କରିଦେଇଥିଲା। ଫାଇଟ୍‌ ପରେ ନିଜ ପ୍ରତିକ୍ରିୟାରେ ୨୯ବର୍ଷୀୟ ଯୋଶୁଆ କହିଛନ୍ତି, ଜଣେ ଭଲ ଫାଇଟରଙ୍କ ଦ୍ୱାରା ମୁଁ ପରାସ୍ତ ହୋଇଛି। କ୍ୟାରିୟରରେ ହାରିବା ଜିତିବା ରହିଛି। ରୁଇଜ୍‌ କେତେବାଟ ଯାଉଛନ୍ତି ତାହା ଦେଖିବାକୁ ରହିଲା। କିନ୍ତୁ ବର୍ତ୍ତମାନ ସେ ଚାମ୍ପିୟନ। ମୁଁ ଦିନେ ପ୍ରତ୍ୟାବର୍ତ୍ତନ କରିବି।

Share