ବିଷାକ୍ତ ଖାଦ୍ୟ ଖାଇ ୧ ମୃତ , ୨୪ ଆକ୍ରାନ୍ତ

ଡାବୁଗାଁ,୧୬।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚିକିଲି ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଆକ୍ରାନ୍ତ ହୋଇଛନ୍ତି । ମୃତକ ହେଲେ ବୁଦେଇ ହରିଜନ (୬୦)।
ସୂଚନାଯୋଗ୍ୟ, ରବିବାର ଚିକିଲି ଗ୍ରାମରେ ଏକ ବିବାହ ଭୋଜି ଚାଲିଥିଲା। ଅପରାହ୍ନରେ ଗ୍ରାମବାସୀ ଭୋଜି ଖାଇଥିଲେ। ହଠାତ ସନ୍ଧ୍ୟାରେ ଗ୍ରାମର କିଛି ଲୋକଙ୍କ ଝାଡ଼ାବାନ୍ତି ହୋଇଥିଲା। ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରବିବାର ରାତିରେ ବୁଦେଇଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଖବର ପାଇ ସୋମବାର ସକାଳୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ବଦ୍ରି ପ୍ରସାଦ ନାୟକ ଓ ଡା. ଶୁଭଲକ୍ଷ୍ମୀ ବାରିକଙ୍କ ସମେତ ୨ଟି ଡାକ୍ତରୀ ଦଳ ଉକ୍ତ ଗ୍ରାମକୁ ଯାଇଥିଲେ। ସେଠାରେ ପରୀକ୍ଷା କରିବା ପରେ ୧୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଅନ୍ୟ ୧୦ ଜଣ ସାମାନ୍ୟ ଆକ୍ରାନ୍ତ ହୋଇଥିବାରୁ ଗ୍ରାମରେ ହିଁ ଚିକିତ୍ସା କରାଯାଇଛି । ମଧ୍ୟାହ୍ନରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ମ୍ୟାଲେରିଆ ଅଧିକାରୀ ଡା. ନଳିନୀ, ଦିଲୀପ ଚନ୍ଦ୍ର ବେହେରା ଗ୍ରାମରେ ପହଞ୍ଚି ସ୍ଥିତି ପରଖିବା ସହ ଜନସାଧାରଣଙ୍କ ସହିତ ଆଲୋଚନା କରି ସଫାସୁତରା ରହିବା ପାଇଁ ବୁଝାଇଥିଲେ। ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହ ନିୟନ୍ତ୍ରିତ ଥିବା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।

Share