ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର କିଛି ଗବେଷକ ଏକ ପ୍ରକାର ବିଷାକ୍ତ ଛତୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହାକୁ ଖାଇବା ତ ଦୂର ଛୁଇଁଲେ ମଧ୍ୟ ମୃତ୍ୟୁ ଘଟିବାର ଆଶଙ୍କା ଥିବା ଗବେଷକ କହିଛନ୍ତି। ପୃଥିବୀରେ ମିଳୁଥିବା ସମସ୍ତ ଛତୁ ମଧ୍ୟରେ ଏହା ସବୁଠାରୁ ବିଷାକ୍ତ ବୋଲି ଗବେଷକ କହିଛନ୍ତି। ଏହି ଛତୁ ଯୋଗୁ ଜାପାନ ଏବଂ ଦକ୍ଷିଣ କୋରିଆରେ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନେ ପାରମ୍ପରିକ ଚିକିତ୍ସାରେ ବ୍ୟବହୃତ ହେଉଥିବା ଛତୁ ମନେ କରି ଏହାକୁ ବ୍ୟବହାର କରିଥିବା କୁହାଯାଉଛି। ଏହାକୁ ଖାଇଲେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ମଧ୍ୟରେ କାମ କରିବା ବନ୍ଦ କରି ଦେଇଥାନ୍ତି। ଏହା ମସ୍ତିଷ୍କ କୋଷିକାକୁ ନଷ୍ଟ କରିଦେଇଥାଏ। ସେହିପରି ଏହାକୁ ଛୁଇଁଲେ ମଧ୍ୟ ଏଥିରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ଚର୍ମରେ ଅବଶୋଷିତ ହୋଇ ଶରୀର ଭିତରକୁ ପ୍ରବେଶ କରିଥାଏ ବୋଲି ଅଷ୍ଟ୍ରେଲିଆ ଜେମସ୍‌ କୁକ୍‌ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି। ଏହି ବିଷାକ୍ତ ଛତୁର ସନ୍ଧାନ ୧୮୯୫ରେ ପ୍ରଥମେ ଚାଇନାରେ ମିଳିଥିଲା। ଏଭଳି ଛତୁ ପ୍ରଜାତି ଇଣ୍ଡୋନେସିଆର ସନ୍ତସନ୍ତିଆ ଅଞ୍ଚଳ ଏବଂ ପାପୁଆ ନ୍ୟୁ ଗିନିରେ ଅଧିକ ଦୃଷ୍ଟି ଗୋଚର ହୋଇଥାଏ ବୋଲି ଗବେଷକ କହିଛନ୍ତି।

Share