Categories: ଖେଳ

ବିସିସିଆଇ ଆପେକ୍ସ କାଉନସିଲ ବୈଠକ: ସେସନ କ୍ୟାଲେଣ୍ଡର, ଏଥିକ୍ସ ଅଫିସର ନିଯୁକ୍ତି ନେଇ ଆଲୋଚନା

ନୂଆଦିଲ୍ଲୀ,୧୬।୨(ପି.ଟି.)- ଏଠାରେ ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦ୍ୱିତୀୟ ଆପେକ୍ସ କାଉନସିଲ ବୈଠକ ବସିବ। ଏଥିରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ। ୨୦୨୦-୨୧ ଘରୋଇ ସେସନର କ୍ୟାଲେଣ୍ଡର, ଏଥିକ୍ସ ଅଫିସର ନିଯୁକ୍ତି ଓ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)କୁ ପାଣ୍ଠି ଦେବା ସଂକ୍ରାନ୍ତରେ ଆଲୋଚନା ହେବା ସହିତ ଏହି ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।
ଗତ ଫେବୃୟାରୀରେ ବୋର୍ଡ ଗୋଟିଏ ବର୍ଷ ପାଇଁ ଡି.କେ. ଜୈନଙ୍କୁ ସର୍ବପ୍ରଥମ ଅମ୍ବୁଡ୍ସମ୍ୟାନ ନିଯୁକ୍ତ କରିଥିଲା। ଜୈନଙ୍କୁ ମଧ୍ୟ ଏଥିକ୍ସ ଅଫିସର ଭାବେ କାର୍ଯ୍ୟ କରିବାକୁ ପଡିଥିଲା। ତାଙ୍କୁ ମଧ୍ୟ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, ଭିଭିଏସ୍‌ ଲକ୍ଷ୍ମଣ ଓ କପିଳଦେବଙ୍କ ବିପକ୍ଷରେ ଆସିଥିବା ସ୍ବାର୍ଥନିହିତ ଦ୍ୱନ୍ଦ୍ୱର ଅଭିଯୋଗ ନେଇ ଦେଖାଶୁଣା କରିବାକୁ ପଡିଥିଲା। ଏବେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବୋର୍ଡ ଜଣେ ନୂଆ ଏଥିକ୍ସ ଅଫିସରଙ୍କୁ ନିଯୁକ୍ତି କରିବ ବା ଜୈନଙ୍କ କାର୍ଯ୍ୟକାଳକୁ ବଢାଇବ ତାହା ଦେଖିବାକୁ ବାକି ରହିଲା।
ସେହିପରି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ଜଷ୍ଟିସ୍‌ ଆର.ଏମ. ଲୋଧା ପ୍ୟାନେଲ ପ୍ରସ୍ତାବ ଅନୁଯାୟୀ ଗଠିତ ହୋଇଥିବା ୯ ଜଣ ସଦସ୍ୟବିଶିଷ୍ଟ ଆଇସିଏକୁ ପାଣ୍ଠି ଦେବା ନେଇ ମଧ୍ୟ ଆଲୋଚନା କରାଯିବ। ଉଲ୍ଲେଖଥାଉ କି, ଆଇସିଏ ବୋର୍ଡଠାରୁ ପାଣ୍ଠି ପାଇବା ପାଇଁ ଦାବି କରିଆସୁଛି। ପାଣ୍ଠି ନ ମିଳିବାରୁ ଆସିଏର କୌଣସ କାର୍ଯ୍ୟାଳୟ ମଧ୍ୟ ସ୍ଥାପନ ହୋଇପାରିନାହିଁ। ଆଇସିଏ ତା’ର ପ୍ରଥମ ବୈଠକରେ ୧୫ରୁ ୨୦ କୋଟି ଟଙ୍କାର ଅସ୍ଥାୟୀ ବଜେଟ ପ୍ରସ୍ତୁତ କରିଥିଲା। ପ୍ରାରମ୍ଭିକ ଭାବେ ଆଇସିଏ ବୋର୍ଡଠାରୁ ଅନୁଦାନ ପାଇବ। ତେବେ ଆଗକୁ ଆଇସିଏକୁ ନିଜର ପାଣ୍ଠି ସୃଷ୍ଟି କରିବାକୁ ହେବ।
ପୂର୍ବରୁ ନଭେମ୍ବର ୩୦ ତାରିଖରେ ଆପେକ୍ସ କାଉନସିଲର ପ୍ରଥମ ଓ ଏକମାତ୍ର ବୈଠକ ବସିଥିଲା। ପ୍ରତି ୩ ମାସରେ ଥରେ ଏହି କାଉନସିଲର ବୈଠକ ବସିବା ଜରୁରୀ ବୋଲି କୁହାଯାଇଛି। ଆଗାମୀ ଘରୋଇ ସେସନ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଗତ ନଭେମ୍ବରରେ ପୂର୍ବତନ ସିଏଫ୍‌ଓ ସନ୍ତୋଷ ରାଙ୍ଗନେକର ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ ଚୟନ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯିବ। ସିଏଜି ନୋମିନି ଏଲକା ରେହାନି ଭରଦ୍ୱାଜ ଗତ ଡିସେମ୍ବରରେ ନିଯୁକ୍ତି ପାଇଥିଲେ। ସେ ମଧ୍ୟ ଏହି ବୈଠକରେ ପ୍ରଥମଥର ପାଇଁ ଅଂଶଗ୍ରହଣ କରିବେ। ସେ ମଧ୍ୟ ପୂର୍ବରୁ ସମ୍ବିଧାନ ଉଲ୍ଲଂଘନ ନେଇ ବିଭିନ୍ନ ଅଭିଯୋଗ ସମ୍ପର୍କରେ ଆଲୋଚନା କରିବାକୁ ବୈଠକ ଡାକିବାକୁ ଦାବି କରିଥିଲେ।

Share