Categories: ଖେଳ

ବିସିସିଆଇ ଏଜିଏମ୍‌ ଡିସେମ୍ବର ୧ରେ

ନୂଆଦିଲ୍ଲୀ,୧୦ା୧୧ (ପି.ଟି.)- ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଡିସେମ୍ବର ୧ରେ ହେବ। ଗତ ଅକ୍ଟୋବର ୨୩ରେ ମୁମ୍ବାଇରେ ବିସିସିଆଇର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଏଜିଏମ୍‌ ମୁମ୍ବାଇରେ ଅନୁଷ୍ଠିତ ହେବ। ଏନେଇ ଚିଠି ହସ୍ତଗତ ହୋଇଥିବା ଏକ ରାଜ୍ୟ ଆଶୋସିଏଶନର ଜଣେ ପ୍ରଭାବଶାଳୀ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ଲାଗି ସର୍ତ୍ତରଖି ସୂଚନା ଦେଇଛନ୍ତି। ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ।
ଲୋଧା ସଂସ୍କାର ତାଲିକାରେ ସ୍ଥାନ ପାଇଥିବା ୭୦ବର୍ଷ ବୟସ ସୀମା, ୬ ବର୍ଷ କାର୍ଯ୍ୟକାଳ ପରେ ୩ବର୍ଷ କୁଲିଂ ଅଫ୍‌ ପିରିୟଡ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ କାର୍ଯ୍ୟନିର୍ବାହୀମାନଙ୍କ କ୍ଷମତା ହ୍ରାସ ଆଦି ବିଷୟ ସଦସ୍ୟମାନେ ବୈଠକରେ ଉଠାଇ ପାରନ୍ତି। ତେବେ ୨୦୧୮ ଅଗଷ୍ଟ ୯ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ରେଜିଷ୍ଟ୍ରି ହୋଇଥିବା ସମ୍ବିଧାନରେ କୌଣସି ସଂଶୋଧନ ଆଣିବାକୁ ହେଲେ ପରିବର୍ତ୍ତନ ପାଇଁ ବିସିସିଆଇକୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପଡ଼ିବ। ଯାହା ଜଣାପଡୁଛି ବିସିସିଆଇର ପୂର୍ବତନ କର୍ମକର୍ତ୍ତାମାନେ କ୍ଷମତାକୁ ଫେରିବା ଲାଗି ଚାହୁଁଛନ୍ତି। ଲୋଧା ସଂସ୍କରର ପ୍ରତିଟି ପ୍ରମୁଖ ପ୍ରସ୍ତାବର ସମୀକ୍ଷା ହେବ। ଏହି ନିୟମଗୁଡ଼ିକର ପ୍ରତ୍ୟାହାର ପାଇଁ ବିସିସିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିପାରେ ବୋଲି ଏକ ରାଜ୍ୟ ଆସୋସିଏଶନର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରଖି ଏ ବିଷୟ ପ୍ରକାଶ କରିଛନ୍ତି।

Share