Categories: ଖେଳ

ବିସିସିଆଇ- କ୍ରୀଡ଼ା ମନ୍ତ୍ରଣାଳୟ ଶୀତଳ ଯୁଦ୍ଧ: ଆଶଙ୍କାରେ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତ

ନୂଆଦିଲ୍ଲୀ,୧।୮(ପି.ଟି.)- ଆସନ୍ତା ଅଗଷ୍ଟ ଓ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଏ’ ଓ ମହିଳା ଦଳର ଆଗାମୀ ଭାରତ ଗସ୍ତ ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟଠାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ ଭଜିଟିଂ ସାଇଡ ବା ଭ୍ରମଣ କରିବା ସ୍ଥାନ ନେଇ କ୍ଲିୟରାନ୍ସ ଲେଟର ବା ଅନୁମୋଦନ ପତ୍ର ପାଇ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ସାଧାରଣତଃ ଯେଉଁ ଦଳ ଭାରତ ଗସ୍ତରେ ଆସିଥାଏ ବିସିସିଆଇ କାର୍ଯ୍ୟସୂଚୀ ଓ ଭ୍ରମଣକାରିବା ସ୍ଥାନ ବା ଭେନ୍ୟୁ ନେଇ ଆନୁଷ୍ଠାନିକ ଭାବେ ସୂଚନା ଦେଇଥାଏ। ଯାହା ଫଳରେ ଭିଜା ପାଇବାର ପ୍ରକ୍ରିୟା ବେଶ୍‌ ସହଜ ହୋଇଥାଏ। ଏହାପରେ କ୍ଲିୟରାନ୍ସ ଲେଟର ବା ଅନୁମୋଦନ ପତ୍ର ୩୦ କିମ୍ବା ୪୦ଦିନ ମଧ୍ୟରେ ମିଳିଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଚିଠି ମିଳିନାହିଁ।
ମାର୍ଚ୍ଚରୁ ଏ ନେଇ ଆବେଦନ କରାଯାଇଛି ବୋଲି ବୋର୍ଡ ସ୍ପଷ୍ଟ କରିଛି। ବୋର୍ଡ ଏହି ଚିଠିକୁ ଅପେକ୍ଷା କରିଥିବା ବେଳେ ଆମେ କୌଣସି ଅବେଦନ ପତ୍ର ପାଇନାହୁଁ ବୋଲି କ୍ରୀଡ଼ା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି। କ୍ଲିୟରାନ୍ସ ଲେଟର ମନ୍ତ୍ରଣାଳୟ ତରଫରୁ ଦକ୍ଷିଣ ଆଫ୍ରିକା ସ୍ଥିତ ଭାରତୀୟ ଦୂତାବାସକୁ ଦିଆଯାଇଥାଏ। ଏହା ଫଳରେ ଭିଜା ପାଇବା ପ୍ରକ୍ରିୟା ସହଜ ହୋଇଥାଏ। ତେବେ ଏଥିରେ ବିଳମ୍ବ ହେବାରୁ ସବୁ ସମସ୍ୟା ଉପୁଜିଛି। ଏହାର କାରଣ କ’ଣ ଆମେ ଜାଣିନାହୁଁ ବୋଲି ଅଧିକାରୀ ଜଣକ କହିଛନ୍ତି। ପୁଣି ବିସିସିଆଇ ତରଫରୁ ଆମେ କୌଣସି ସୂଚନା ପାଇନାହୁଁ ବୋଲି ଅନ୍ୟ ଏକସୂତ୍ରରୁ ଜଣାଯାଇଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ଯିବା ବଦଳରେ ମନ୍ତ୍ରଣାଳୟ ଆସି ଯୋଗାଯୋଗ କରିବା ଉଚିତ୍‌ ବୋଲି ଜଣେ ଅଧିକାରୀ କହିଛନ୍ତି।
ବିସିସିଆଇକୁ ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଅଧୀନକୁ ଆଣିବାକୁ ମନ୍ତ୍ରଣାଳୟ ଚାହୁଁଛି। ତେବେ ବିସିସିଆଇ ସ୍ବାଧୀନ ଭାବେ ନାଡ଼ା ସହ ୬ ମାସିଆ ପରୀକ୍ଷାମୂଳକ ନିୟମରେ କାର୍ଯ୍ୟକରିବାକୁ ଗତ ମାର୍ଚ୍ଚ ୧୮ ତାରିଖରେ ନିଷ୍ପତ୍ତି ନେଇଥିଲା। ଏଥିସହିତ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ହିସାବରେ ନାଡା ଅଧୀନକୁ ଆସିବାକୁ ଅମଙ୍ଗ ହୋଇଥିଲା। ଫଳରେ ମନ୍ତ୍ରଣାଳୟ ଓ ବିସିସିଆଇ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସବୁ ଏନ୍‌ଏସ୍‌ଏଫ୍‌ ଗୋଟିଏ ସରକାରଙ୍କ ନାଡ଼ା ଅଧୀନକୁ ଆସିବା ଉଚିତ ବୋଲି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି। ବିସିସିଆଇ ନାଡ଼ା ସହ ଅଲଗା ବୁଝାମଣା ପତ୍ର କରିପାରିବ ନାହିଁ ବୋଲି ସେ କହିଛନ୍ତି। ମନ୍ତ୍ରଣାଳୟ ଓ ବିସିସିଆଇ ମଧ୍ୟରେ ଚାଲିଥିବା ଏହି ଶୀତଳ ଯୁଦ୍ଧ ଦକ୍ଷିଣ ଆଫ୍ରିକା ଏ’ ଦଳର ଭାରତ ଗସ୍ତକୁ ଅନିଶ୍ଚିତତାକୁ ଟାଣି ନେଇଛି ବୋଲି କୁହାଯାଉଛି।

Share