Categories: ଖେଳ

ବିସିସିଆଇ ପଦାଧିକାରୀ

ମୁମ୍ବାଇ,୨୪।୧୦ (ପି.ଟି.)-

ଅଧ୍ୟକ୍ଷ: ସୌରଭ ଗାଙ୍ଗୁଲି
ନବନିର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଗାଙ୍ଗୁଲି ଭଳି ଅନ୍ୟ ପଦାଧିକାରୀମାନେ ମଧ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।

ସମ୍ପାଦକ: ଜୟ ଶାହ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ମାତ୍ର ୩୧ ବର୍ଷ ବୟସରେ ବିସିସିଆଇ ସମ୍ପାଦକ ପଦରେ ନିଯୁକ୍ତ ହୋଇଛନ୍ତି। ଏହି କ୍ରମରେ ସେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ଏହି ଗୁରୁଦାୟିତ୍ୱ ସମ୍ଭାଳିଛନ୍ତି। ୨୦୦୯ ପରଠାରୁ ସେ ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସହିତ ଜଡିତ ରହିଆସିଛନ୍ତି। ୨୦୧୩ରେ ସେ ଜିସିଏ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।

କୋଷାଧ୍ୟକ୍ଷ: ଅରୁଣ ସିଂ ଧୁମାଲ
ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ତଥା କେନ୍ଦ୍ର ରାଷ୍ଟମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ସିଂ ଧୁମାଲ ବୋର୍ଡ କୋଷାଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି। ଜୟ ଶାହଙ୍କ ଭଳି ଅରୁଣ ମଧ୍ୟ ରାଜନୈତିକ ପରିବାରରୁ ଆସିଛନ୍ତି। ଠାକୁର ୨୦୧୭ ଜାନୁୟାରୀରେ ବିସିସିଆଇ ପଦରୁ ବହିଷ୍କୃତ ହୋଇଥିଲେ। ୪୪ ବର୍ଷୀୟ ଅରୁଣ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଉପ- ସଭାପତି ଭାବେ ୨୦୧୨ରୁ ୨୦୧୫ ମଧ୍ୟରେ କାର୍ଯ୍ୟ କରିଛନ୍ତି। ସେତେବେଳେ ଠାକୁର ଏଚ୍‌ପିସିଏର ଅଧ୍ୟକ୍ଷ ଥିଲେ। ଜଷ୍ଟିସ ଆର.ଏମ୍‌. ଲୋଧା କମିଟି ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଓ ଏଚପିସିଏରେ ଏହାକୁ ଲାଗୁ କରିବା ପାଇଁ ଗଠିତ ୩ ଜଣିଆ ଆଡହକ କମିଟିର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ଅରୁଣ। ବିସିସିଆଇରେ ସେ ଏଚ୍‌ପିସିଏ ପାଇଁ ପ୍ରତିନିଧିତ୍ୱ କରିଛନ୍ତି।

ଯୁଗ୍ମ ସମ୍ପାଦକ: ଜୟେଶ ଜର୍ଜ
କ୍ରିକେଟ ପ୍ରଶାସନରେ ଜୟେଶ ଜର୍ଜଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି। କେରଳ କ୍ରିକେଟ ଆସୋସିଏଶନ (କେସିଏ) ସମ୍ପାଦକ, କୋଷାଧ୍ୟକ୍ଷ, ଯୁଗ୍ମ ସମ୍ପାଦକ ଓ ସଭାପତି ହିସାବରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ୨୦୦୫ରୁ ସେ କେସିଏ ସହ ଜଡିତ ରହିଆସିଛନ୍ତି।

ଉପ-ସଭାପତି: ମହିମ ବର୍ମା
୪୫ ବର୍ଷୀୟ ମହିମ ବର୍ମା ବୋର୍ଡ ଉପସଭାପତି ଭାପେ ନିଯୁକ୍ତ ହୋଇଛନ୍ତି। ତାଙ୍କ ପିତା ପି.ସି. ବର୍ମା କ୍ରିକେଟ ଆସୋସିଏଶନ ଅଫ୍‌ ଉତ୍ତରାଖଣ୍ଡ (ସିଏୟୁ) ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ମହିମ ସିଏୟୁର ଯୁଗ୍ମ ସମ୍ପାଦକ ଭାବେ ଗତ ସେପ୍ଟେମ୍ବର ପର୍ଯ୍ୟନ୍ତ ୧୦ ବର୍ଷ କାର୍ଯ୍ୟ କରିଛନ୍ତି। ବିସିସିଆଇଠାରୁ ମାନ୍ୟତା ପାଇବା ପରେ ସେ ଆସୋସିଏଶନର ସମ୍ପାଦକ ନିଯୁକ୍ତ ହୋଇଥିଲେ।

Share