Categories: ଖେଳ

ବିସିସିଆଇ ଭାଷ୍ୟକାର ପ୍ୟାନେଲରୁ ବାଦ୍‌ ପଡ଼ିଲେ ମଞ୍ଜରେକର

ମୁମ୍ବାଇ,୧୪।୩- କରୋନା ଭାଇରସ୍‌ ଯୋଗୁ ଆଇପିଏଲ୍‌ ସ୍ଥଗିତ ଓ ଭାରତ- ଦକ୍ଷିଣ ଆଫ୍ରିକା ସିରିଜ୍‌ ବାତିଲ ହୋଇଥିବା ବେଳେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରତି କାହାରି ଧ୍ୟାନ ଆକର୍ଷିତ କରିନାହିଁ। ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଭାଷ୍ୟକାର ସଞ୍ଜୟ ମଞ୍ଜରେକରଙ୍କୁ ବିସିସିଆଇ ଭାଷ୍ୟକାର ପ୍ୟାନେଲରୁ ବାଦ୍‌ ଦେଇଛି। ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ଏହି ମ୍ୟାଚ୍‌ ଲାଗି ଅନ୍ୟ ବିସିସିଆଇ ପ୍ୟାନେଲ ଭାଷ୍ୟକାରଙ୍କ ଭଳି ଧର୍ମଶାଳାରେ ସେ ଉପସ୍ଥିତ ନ ଥିଲେ। ଏଠାରେ ସୁନୀଲ ଗାଭାସ୍କର, ଏଲ. ସିଭରାମକ୍ରିଷ୍ଣନ ଓ ମୁରଲୀ କାର୍ତ୍ତିକ ଉପସ୍ଥିତ ଥିଲେ। ମଞ୍ଜରେକର ଗତ ୩ ବିଶ୍ୱକପ୍‌ରେ ବିସିସିଆଇର ଭାଷ୍ୟକାର ପ୍ୟାନେଲ୍‌ରେ ଥିଲେ। ସେ ୧୯୯୬ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାଷ୍ୟକାର ଭାବେ ନିଜକୁ ପ୍ରତିଷ୍ଠା କରିଥିଲେ। କିନ୍ତୁ ତାଙ୍କୁ ବିସିସିଆଇ ଯଥେଷ୍ଟ ମ୍ୟାଚ୍‌ ଦେଇ ନାହିଁ। ମିଳିଥିବା ସୂଚନା ମୁତାବକ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌ରେ ମଧ୍ୟ ତାଙ୍କୁ ସାମିଲ ନ କରିବାକୁ ବିସିସିଆଇ ଯୋଜନା କରୁଛି। ଏହାର ସ୍ପଷ୍ଟ କରାଣ ନ ଥିଲେ ମଧ୍ୟ ବିସିସିଆଇ କର୍ମକର୍ତ୍ତା ମଞ୍ଜରେକରଙ୍କ କାର୍ଯ୍ୟରେ ଖୁସି ନାହାନ୍ତି। ଏ ସମ୍ପର୍କରେ ଅଧିକ କେହି କମେଣ୍ଟ କରିବାକୁ ଚାହୁଁନାହାନ୍ତି। ନିକଟରେ ସଞ୍ଜୟ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ। ଆଉ ଗତବର୍ଷ ପିଙ୍କ୍‌ ବଲ ଟେଷ୍ଟବେଳେ ସହ ଭାଷ୍ୟକାର ହର୍ଶା ଭୋଗଲେଙ୍କ ସହ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଉଭୟ ଘଟଣା ପାଇଁ ପରବର୍ତ୍ତୀ ସମୟରେ ସଞ୍ଜୟ କ୍ଷମାପ୍ରାର୍ଥନା କରିଥିଲେ।

Share