Categories: ଖେଳ

ବିସିସିଆଇ ସିଏଫ୍‌ଓଙ୍କ ଇସ୍ତଫା

ନୂଆଦିଲ୍ଲୀ, ୯ା୧୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ସନ୍ତୋଷ ରାଙ୍ଗନେକର ଶୁକ୍ରବାର ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏଭଳି ନିଷ୍ପତ୍ତି ନେବାରେ ପ୍ରଶାସକ କମିଟି (ସିଓଏ) ଯୁଗର ସେ ହେଉଛନ୍ତି ପ୍ରଥମ ହାଇପ୍ରୋଫାଇଲ କାର୍ଯ୍ୟନିର୍ବାହୀ। ରାଙ୍ଗନେକର ହେଉଛନ୍ତି ବିସିସିଆଇର ପ୍ରଥମ ସିଏଫ୍‌ଓ। ତାଙ୍କ ୩ ବର୍ଷ କାର୍ଯ୍ୟକାଳ ସମୟରେ ସେ ଅନ୍ୟମାନଙ୍କ ନଜରରେ ରହିଥିଲେ। ବିସିସିଆଇ ଆପେକ୍ସ କାଉନ୍‌ସିଲର ଜଣେ ସିନିୟର ସଦସ୍ୟ ରାଙ୍ଗନେକର ଚାପର ବଶବର୍ତ୍ତୀ ନ ହୋଇ ଏହି ପଦକ୍ଷେପ ନେଇନାହାନ୍ତି, ବରଂ ସ୍ବେଚ୍ଛାକୃତ ଭାବେ ଏହିପରି ନିଷ୍ପତ୍ତି ନେଇଛନ୍ତି। ସେ ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। କୁହାଯାଉଛି ରାଙ୍ଗନେକର ପ୍ରଶାସନିକ ବହିର୍ଭୁତ କାର୍ଯ୍ୟରେ ମୁଣ୍ଡ ଖେଳାଇବାରୁ ତାଙ୍କୁ ଅନେକ ନାପସନ୍ଦ କରିଥିଲେ। ଖବର ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆ ସହିତ ଆକାଉଣ୍ଟ୍ସ ବିବାଦ ସମାଧାନ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବା ଲାଗି ପ୍ରଶାସକ କମିଟି ରାଙ୍ଗନେକରଙ୍କୁ ଅନୁମତି ଦେଇଥିଲା। ହେଲେ ବିନା ଗସ୍ତରେ ଏହି କାର୍ଯ୍ୟ ସମ୍ପାଦନ ହୋଇପାରିଥାନ୍ତା। ପୁନଶ୍ଚ ପୂର୍ବତନ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧାରୀ ତାଙ୍କୁ ମାଡ଼ ମାରିବା ଲାଗି ଧମକ ଦେଇଥିବା ଅଭିଯୋଗ କରିଥିଲେ। ଯାହାକୁ ବିସିସିଆଇର ଅନେକ କର୍ମକର୍ତ୍ତା ଭିତ୍ତିହୀନ ବୋଲି ମନେ କରନ୍ତି। ସେ କାହା ପ୍ରରୋଚନାରେ ଏପରି କଲେ ତାହା ଅସ୍ପଷ୍ଟ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଯେତେବେଳେ ଆର୍ଥିକ ବ୍ୟାପାର ଦାୟିତ୍ୱ କୋଷାଧ୍ୟକ୍ଷଙ୍କଠାରୁ ଆଣି ସିଏଫ୍‌ଓଙ୍କୁ ପ୍ରଦାନ କରିଥିଲେ ବିସିସିଆଇ ଏହି କାର୍ଯ୍ୟକୁ ନାପସନ୍ଦ କରିଥିଲା। ଇତିମଧ୍ୟରେ ବିସିସିଆଇର ନୂଆ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଙ୍ଗନେକରଙ୍କୁ ହୁଏତ ସେମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥାନ୍ତା। ଏହାକୁ ଏଡ଼ାଇବା ଲାଗି ରାଙ୍ଗନେକର ହୁଏତ ଇସ୍ତଫା ଦେଇଥାଇପାରନ୍ତି ବୋଲି ବିସିସିଆଇର ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି।

Share