ବିସ୍ଫୋରଣରେ ନାବାଳକ ଗୁରୁତର

ଆସିକା,୧୪ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥର ଗ୍ରାମରେ ସୋମବାର ସକାଳେ ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଣ୍ଡିଆପଥରର ସେଖ ମକାଙ୍କ ପୁଅ ସଫିର (୧୩)  ତାଙ୍କ ବାମ ହାତରେ ବିସ୍ଫୋରକ ଫୁଟିଥିବାରୁ ଚିକିତ୍ସା ଲାଗି ପ୍ରଥମେ ଆସିକା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼
ମେଡିକାଲକୁ ପଠାଯାଇଛି। ନବମ ଶ୍ରେଣୀରେ ପଢ଼ୁଥିବା ସଫିର ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗ ଅମର ଖାନ, ସେଖ ରବାନିଙ୍କ ସହ ସକାଳେ ପୋଖରିକୁ ଗାଧୋଇବାକୁ ଯାଇଥିେ। ତୁଠରେ ପଡିଥିବା କୌଣସି ଏକ ବିସ୍ଫୋରକ ସାମଗ୍ରୀକୁ ସଫିର ଗୋଟାଇ ଆଣିଥିଲେ । ଘର ନିକଟରେ କୌତୁହଳବଶତଃ ସେଥିରେ ପଥର ଛେଚିବାରୁ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ସଫିର ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ।
ଖବରପାଇ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆସିକା ତହସିଲଦାର ଆଶୁତୋଷ ଗୌରବ କର ପାଣ୍ଡିଆପଥର ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସଫିରଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ବିସ୍ଫୋରକ ସାମଗ୍ରୀଟି କ’ଣ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପୋଖରି ନିକଟ ଧୂଆଁମାରି ପାହାଡରେ ପଥର ଫୁଟାଇବା ଲାଗି ବେଆଇନ ଭାବେ ବ୍ୟବହାର କରାଯାଉଥିବା ଡିଟୋନିଟର ହୋଇଥାଇ ପାରେ ବୋଲି ଅନୁମାନ କରାଯାଇଛି ।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ କୋଟିନଡା ଫାଣ୍ଡି ଅନ୍ତର୍ଗତ ମାଗୁରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର ଆହତ ହୋଇଥିଲେ। ଡିଟୋନେଟରକୁ ଗୋଟାଇ ଆଣି ସେଥିରେ ବ୍ୟାଟେରୀ ସଂଯୋଗ କଲାବେଳେ ତାହା ଫୁଟି ଯାଇଥିଲା।