ବିସ୍ଫୋରଣରେ ଯୁବତୀଙ୍କ ଜୀବନଗଲା: ଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ

ସୁନ୍ଦରଗଡ଼, ୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରାଣୀ ବଗିଚାରେ ଗୁରୁବାର ରାତିରେ ବିସ୍ଫୋରଣ ଘଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଣୁକା ନାଗ (୨୩)।
ରେଣୁକାଙ୍କ ବାପା କହ୍ନାଇ ନାଗଙ୍କ କହିବା ଅନୁସାରେ, ଗୁରୁବାର ରାତିରେ ପରିବାର ଲୋକେ ଖାଇପିଇ ଶୋଇବାକୁ ଯାଉଥିଲେ। ଏହି ସମୟରେ ଝିଅ ରେଣୁକା ଅନ୍ୟ ଏକ କୋଠରୀକୁ ଯାଇ ଏକ ଟିଣ ବାକ୍ସ ଖୋଲିଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ରେଣୁକାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶୁକ୍ରବାର ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପୋଲିସ କିଛି କହି ନ ଥିବା ବେଳେ ରେଣୁକାଙ୍କ ଭାଇକୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଥିବା ଜଣାପଡ଼ିଛି।