ବିହାରରୁ ଓଡଗାଁ: ସାଇକେଲରେ ୧୨୦୦ କିମି ପାର ହୋଇ ପହଞ୍ଚିଲେ ଦୁଇଜଣ ମିସ୍ତ୍ରୀ

ଓଡଗାଁ, ୨୯।୪(ସ୍ବ.ପ୍ର.)- ପରିବାର ଭରଣ ପୋଷଣ ପାଇଁ ଓଡଗାଁରୁ ବିହାରର ପୁର୍ଣିଆ ଜିଲା ବନମଖୀ ଯାଇଥିବା ଦୁଇ ମନ୍ଦିର ମିସ୍ତ୍ରୀ ସାଇକେଲରେ ଗାଁକୁ ଫେରିଛନ୍ତି। କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବା ଫଳରେ ସେମାନେ ରୋଜଗାର ହରାଇଥିଲେ। ମାଲିକ ସେମାନଙ୍କୁ କାମ ବନ୍ଦ କରିବାକୁ କହିବା ପରେ ସେମାନେ ଚଳିବା ପାଇଁ ଅସୁବିଧା ହୋଇଥିଲା। ଫଳରେ ଓଡଗାଁ ଛାମୁସାହିର ସୋମନାଥ ସେନାପତି (୩୭)ଓ ରବିଗାଡିଆର ମୁରଲୀ ସ୍ବାଇଁ (୨୦) ଉଭୟେ ଦୁଇଟି ସାଇକେଲ କିଣି ସହିତ ୨୦ ତାରିଖ ଭୋର ସମୟରେ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେଠାରୁ ଭଗଲପୁର, ଆସାନସୋଲ, ପୁରୁଲିଆ, ଟାଟା, ରାଞ୍ଚି, ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ରେଢ଼ାଖୋଲ, ବୌଦ୍ଧ, ଦଶପଲ୍ଲା, ମହୀପୁର ପ୍ରାୟ ୧୨୦୦ କିମି ଅତିକ୍ରମ କରି ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉଭୟେ ପହଞ୍ଚିବାରେ ଏନ୍‌ଏସି ତରଫରୁ ସେମାନଙ୍କ ସାଇକେଲ ବିଶୋଧିତ କରାଯାଇଥିଲା। ସୋମନାଥଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ସଙ୍ଗରୋଧ ଗୃହରେ ୧୪ ଦିନପାଇଁ ଅବସ୍ଥାପିତ କରାଯାଇଥିବା ବେଳେ ମୁରଲୀଙ୍କୁ ରବିଗାଡିଆ ସରପଞ୍ଚଙ୍କୁ ପଞ୍ଚାୟତ ସଙ୍ଗରୋଧ ଗୃହରେ ରଖିବା ନିମନ୍ତେ ପଠାଇ ଦିଆଯାଇଛି। ଉଭୟେ ପ୍ରତିଦିନ ହାରାହାରି ୧୩୦ କିମି ରାସ୍ତା ଅତିକ୍ରମ କରୁଥିବା କହିଛନ୍ତି ।

Share