Categories: ଜାତୀୟ

ବିହାରରେ ଆଇନ ବ୍ୟବସ୍ଥାକୁ ନେଇ ଖପ୍ପା ଗିରିରାଜ

ପାଟନା,୨୯।୧୦: ବିହାରରେ ବଢ଼ୁଥିବା ଅପରାଧକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗରିରାଜ ସିଂହ ମଙ୍ଗଳବାର ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ସେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବେଗୁସରାଇରୁ ଏମ୍‌ପି ଥିବା ଗରିରାଜ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଏକ ଟୁଇଟ କରିଛନ୍ତି। ସେ କହିଛନ୍ତି, ବେଗୁସରାଇରେ ଅପରାଧ ଚରମ ସୀମାରେ ପହଞ୍ଚିଛି। ଜଣେ ହତ୍ୟା ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା ବେଳେ ଅନ୍ୟପଟେ ଆଉ ଏକ ହତ୍ୟା ମାମଲା ସାମ୍ନାକୁ ଆସୁଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଗତ ୭୨ଘଣ୍ଟା ମଧ୍ୟରେ ପ୍ରାୟ ୧୦ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ସେଥିମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଗିରିରାଜ ଦର୍ଶାଇଛନ୍ତି। ତେବେ ଏନେଇ ମଙ୍ଗଳବାର ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଗିରିରାଜ ଆଲୋଚନା କରିଛନ୍ତି। ଅନ୍ୟପଟେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁ ନ ନେଇ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ଶାସକ ଦଳରନେତା ହୋଇ ମଧ୍ୟ ସେ ଏହାର ସମାଧାନର ସୂତ୍ର ପାଇପାରୁନାହାନ୍ତି।

Share