ପାଟନା,୩।୧୧: ବିହାର ବିଧାନସଭା ନିର୍ବାଚନ ୨୦୨୦ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୭ଟି ଜିଲାର ୯୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଭୋଟ ଦେବା ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ପାଟନାରେ ଭୋଟ ଦେବାକୁ ପହଞ୍ଚିଛନ୍ତି। ଏହି ସମୟରେ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀ ମଧ୍ୟ ତାଙ୍କ ସହିତ ଥିଲେ। ଏଠାରେ ରାବିଡି କହିଛନ୍ତି ଯେ, ବିହାରରେ ପରିବର୍ତ୍ତନ ଗଙ୍ଗା ପ୍ରବାହିତ ହେଉଛି, ବିହାରରେ ପରିବର୍ତ୍ତନ ଆବଶ୍ୟକ। ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଶିବହାର, ସୀତାମଢୀ, ମଧୁବନୀ, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିଭାନ, ଛପରା, ବୈଶାଳୀ, ସାମସ୍ତିପୁର, ବେଗୁସରାଇ, ଖଗରିଆ, ଭାଗଲପୁର, ନାଳନ୍ଦା ଏବଂ ପାଟନା ଜିଲାରେ ଭୋଟ ଗ୍ରହଣ ହେଉଛି। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ତାଙ୍କ ବଡ ଭାଇ ତେଜ ପ୍ରତାପ ଯାଦବଙ୍କ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେବ। ସୂଚନାଯୋଗ୍ୟ, ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଗତ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା।