Categories: ଜାତୀୟ

ବିହାରରେ ଲଜ୍ଜା: ବଳାତ୍କାର ଉଦ୍ୟମ ସଫଳ ନ ହେବାରୁ ନାବାଳିକାଙ୍କୁ ଗୁଳି କଲେ ଯୁବକ

ରୋହତାସ,୧୭।୧୨: ବିହାରରେ ପୁଣି ଲଜ୍ଜା। ବିହାର ରୋହତାସ ଜିଲାର ରାଜପୁରରେ ୧୦ମରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଛି। ଉଦ୍ୟମରେ ସଫଳ ନ ହେବାରୁ ପୀଡିତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ପୀଡିତା ଜେଜେମାଙ୍କ ସହ ଶୌଚ ପାଇଁ ବାହାରକୁ ଯାଇଥିଲେ। ସେହି ସମୟରେ ୪ଜଣ ଯୁବକ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନେ ଏଥିରେ ସଫଳ ନ ହେବାରୁ ପୀଡିତାଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ। ଗୁଳି ଶବ୍ଦ ଶୁଣିବା ପରେ ଗାଁଲୋକେ ବାହାରକୁ ଆସିଥିଲେ। ରାସ୍ତାରେ ପୀଡ଼ିତା ଛଟପଟ ହେଉଥିବା ଦେଖି ଗାଁଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ପୀଡ଼ିତାଙ୍କ ବେକରେ ଗୁଳି ବାଜିଥିବାରୁ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ଓ ଏସ୍‌ଡିପିଓ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏଥିସହ ତଦନ୍ତକୁ ତ୍ୱରାନିତ କରାଯାଇ ପୋଲିସ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଗିରଫ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Share