Categories: ବାଣିଜ୍ୟ

ବୀମାରେ ସାମିଲ ହେବ ମାନସିକ, ଜେନେଟିକ ରୋଗ

ନୂଆଦିଲ୍ଲୀ,୧୯-୫: ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏ) ବୀମା କମ୍ପାନୀଗୁଡ଼ିକୁ ମାନସିକ ଅସୁବିଧା, ଜେନେଟିକ ରୋଗ, ନ୍ୟୁରୋ ସମ୍ପର୍କିତ ବିକାର ତଥା ମନୋବୈଜ୍ଞାନିକ ବିକାର ଭଳି ଗମ୍ଭୀର ରୋଗଗୁଡ଼ିକୁ ଚିକିତ୍ସା ବୀମା ପଲିସିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାର ଅର୍ଥ ଏବେ ବୀମା କମ୍ପାନୀଗୁଡ଼ିକ ମେଡିକାଲ ବୀମା ପଲିସିରେ ଉକ୍ତ ରୋଗଗୁଡ଼ିକୁ ସାମିଲ କରିବାକୁ ବାଧ୍ୟ ହେବେ।
ବୀମା ଜଗତ ଚିକିତ୍ସା ବୀମା ପଲିସିରୁ ରୋଗଗୁଡ଼ିକୁ ବାଦ୍‌ ଦେବାର ଏକ ସମାନ ନୀତି ଆପଣାଇବାକୁ ଆଇଆର୍‌ଡିଏ ନିଜ ପ୍ରସ୍ତାବରେ କହିଛନ୍ତି। ବଜାରରେ ଚିକିତ୍ସା ବୀମା କମ୍ପାନୀ ଏବଂ ଚିକିତ୍ସା ବୀମା ଯୋଜନା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ ଜାରି କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ମେଡିକାଲ ଇନସ୍ୟୁରାନ୍ସରୁ ରୋଗଗୁଡ଼ିକୁ ବାଦ୍‌ ଦେବାର ଏକ ନିଶ୍ଚିତ ମାନଦଣ୍ଡ ନିର୍ଦ୍ଧାରଣ ଲାଗି କ୍ରିୟାନ୍ବୟନ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିସ୍‌ କ୍ରମେ ଆଇଆର୍‌ଡିଏ ମେଡିକାଲ ପଲିସିରୁ ରୋଗଗୁଡ଼ିକୁ ବାଦ୍‌ ଦେବା ନେଇ ଗାଇଡଲାଇନ ଜାରି କରିବାକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ମୁତାବକ ବୀମା ନେବା ପରେ ହେବାକୁ ଥିବା କୌଣସି ପ୍ରକାର ରୋଗ ସମ୍ପର୍କିତ ଚିକିତ୍ସାକୁ ବୀମା ପରିସରରୁ ବାଦ୍‌ ଦିଆଯାଇପାରିବ ନାହିଁ। ଏଥିସହ ବୀମାର ନିୟମ ଓ ସର୍ତ୍ତରେ ଏଭଳି କୌଣସି ବ୍ୟବସ୍ଥା ରଖାଯାଇପାରିବ ନାହିଁ। ଦୀର୍ଘ ୮ ବର୍ଷ ଧରି ପଲିସି ଚାଲିଥିବା ବେଳେ ବୀମା ହୋଇଥିବା ବ୍ୟକ୍ତି ଧ୍ରୁମ୍ରପାନ କରୁଛନ୍ତି ଅଥବା କୌଣସି ରୋଗରେ ପୀଡିତ ବୋଲି ବୀମା କମ୍ପାନୀ ଜାଣି ତାଙ୍କର କ୍ଲେମ୍‌କୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଏହାବ୍ୟତୀତ କୌଣସି ରୋଗୀ ଅଧାରୁ ମେଡିକାଲ ଟ୍ରିଟ୍‌ମେଣ୍ଟ ବନ୍ଦ କରିଦେଇଥିଲେ ମଧ୍ୟ ବୀମା କମ୍ପାନୀ ତାଙ୍କର ଦାବିକୁ ଫେରାଇ ପାରିବେ ନାହିଁ। ସେହିପରି ଯୁବତୀ ଏବଂ ମହିଳାଙ୍କୁ ଯୁବାବସ୍ଥା ଓ ମେନୋପଜ୍‌ ସମୟରେ ଅଧିକ ରକ୍ତକ୍ଷରଣ ତଥା ହର୍ମୋନାଲ ପରିବର୍ତ୍ତନ ଦେଇ ଗତିକରିବାକୁ ପଡିଥାଏ। ସେମାନଙ୍କ ରୋଗର ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ବୀମା ପଲିସି ମଧ୍ୟରେ ସାମିଲ କରିବାକୁ ଆଇଆର୍‌ଡିଏ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ବୀମା କମ୍ପାନୀଗୁଡ଼ିକ ବୃଦ୍ଧାବସ୍ଥାଜନିତ ରୋଗ, ଦୁର୍ଲଭ ରୋଗକୁ ମଧ୍ୟ ବୀମା ପଲିସିରୁ ବାଦ୍‌ ଦେଇ ପାରିବେ ନାହିଁ। ବୀମା କମ୍ପାନୀ ପାରାଗ୍ଲାଇଡିଂ, ରାଫ୍ଟିଙ୍ଗ, ଏଫ୍‌୧ ରେସିଂ ଭଳି ଆଡ୍‌ଭେଞ୍ଚର ସ୍ପୋଟର୍‌ସ ତଥା ଜଲିକଟ୍ଟୁ ଓ କମ୍ବାଲା ଭଳି ଅନ୍ୟ ପାରମ୍ପରିକ ଖେଳକୁ ମଧ୍ୟ ବୀମାଭୁକ୍ତ କରିବାକୁ ବାଧ୍ୟ ରହିବେ।

Share