Categories: ବାଣିଜ୍ୟ

ବୀମା ପେନେଟ୍ରେଶନ ଜିଡିପିର ୦.୯%: ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧।୬- ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ, ଦେଶରେ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ ବଜାରର ବୀମା ପେନିଟ୍ରେଶନ ମୋଟ ଜିଡିପିର ୦.୯% ରହିଛି। ଏହା ଅନ୍ୟ ଅଭିବୃଦ୍ଧିଶୀଳ ବଜାର ତୁଳନାରେ ନଗନ୍ୟ। ଭାରତ ତୁଳନାରେ ଏହି ଦେଶଗୁଡିକ ବୀମା ଗ୍ରହଣରେ ୧.୫% ରୁ ୨% ଗୁଣା ଆଗୁଆ ରହିଛନ୍ତି ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ଜେନେରାଲର ଏମ୍‌ଡି ତଥା ସିଇଓ ପୋଷଣ ମହାପାତ୍ର ସୂଚନା ଦେଇଛନ୍ତି। ବୀମାର ପ୍ରକୃତ ଗୁରୁତ୍ୱକୁ ଲୋକମାନେ ବୁଝିବାର ଆବଶ୍ୟକତା ରହିଥିବା ସେ ମତ ରଖିଛନ୍ତି। ଦେଶରେ ଏହି ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି। ସେହିଭଳି ବିତରଣ ନେଟଓ୍ବର୍କ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଓଡ଼ିଶାରେ ବାତ୍ୟା ଫନୀ ପ୍ରଭାବିତ ରେ ଗ୍ରାହକଙ୍କ ଲାଗି ଏସ୍‌ବିଆଇ ଜେନେରାଲ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ମତ ରଖିଛନ୍ତି। କମ୍ପାନୀ ମୋଟ ୧୧୬୧ ବୀମା ଦାବି ଗ୍ରହଣ କରିଛି। ଏହି ଦାବିଗୁଡିକର ମୋଟ ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ରହିଥିବା ବେଳେ ୭୦୨ କ୍ଲେମ ବା ୬୬% ଦାବି ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ସମାଧାନର ହାରାହାରି ସମୟ ୮ ଦିନ ରହିଛି। ଗ୍ରାହକଙ୍କ ପାଖକୁ ୧୩.୩ କୋଟି ଏବଂ କ୍ଷତିଗ୍ରସ୍ତ ସମ୍ପତ୍ତିର ମରାମତି ତଥା ଉନ୍ନତୀକରଣ ଲାଗି ୩ କୋଟି ଟଙ୍କାର ଅନ୍ତରୀଣ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟରେ କମ୍ପାନୀର ୫ଟି ଶାଖା ରହିଛି। ଏହି ସମୟରେ କମ୍ପାନୀ ରାଜ୍ୟରେ ୯୯ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରଥିବା ସେ ସୂଚନା ଦେଇଛନ୍ତି।

Share