Categories: ମେଟ୍ରୋ

ବୀରକିଶୋରୀ ବଲ୍ଲଭରେ ଲାଗି ହେଉନି କାକରା ପିଠା

ପୁରୁଣା ଭୁବନେଶ୍ୱର,୨୬।୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜଙ୍କର ବାରମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଦୈନନ୍ଦିନ ନୀତିକାନ୍ତିରେ ଠାକୁରଙ୍କୁ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ। ହେଲେ କେତେଜଣ ସେବାୟତଙ୍କର ଖାମଖିଆଲ ମନୋଭାବ ଯୋଗୁ ଠାକୁରଙ୍କୁ ଭୋଗ ଲାଗିରେ ବ୍ୟତିକ୍ରମ ଦେଖାଦେଇଛି। ବୀରକିଶୋରୀ ବଲ୍ଲଭରେ ଠାକୁରଙ୍କୁ କାକରା ପିଠା ଲାଗି ହୋଇଥାଏ। ଦେଢ଼ ମାସ ହେବ ନୀତିରେ କାକରା ପିଠା ଜାଗାରେ ଛୋଟ ଛୋଟ ଆରିସା ଲାଗି ହେଉଛି। ବର୍ଷ ବର୍ଷର ରହିଥିବା ପରମ୍ପରାରେ ବ୍ୟତିକ୍ରମକୁ ନେଇ ସେବାୟତ, ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।
ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଟ୍ରଷ୍ଟ ବୋର୍ଡ ଠାକୁରଙ୍କ ଏ ସମସ୍ତ ଭୋଗ ପାଇଁ ସାମଗ୍ରୀ ଯୋଗାଇଥାନ୍ତି। ତେବେ ଦାୟିତ୍ୱରେ ଥିବା ପାଳିଆ ସେବାୟତ କ’ଣ ପାଇଁ କାକରା ପିଠା ସ୍ଥାନରେ ଆରିସା ପିଠାରେ କାମ ଚଳାଉଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ପୂଜାପଣ୍ଡା ସେବାୟତ ମଣ୍ଟୁ ପୂଜାପଣ୍ଡା ସମ୍ପୃକ୍ତ ଭୋଗ ପ୍ରସ୍ତୁତକାରୀ ପାଳିଆ ସେବାୟତ ଏବଂ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଇଥିଲେ। ହେଲେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି। ଟ୍ରଷ୍ଟ ବୋର୍ଡ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରେ, ଟ୍ରଷ୍ଟ ବୋର୍ଡ ଏ ନେଇ କୌଣସି ଅଭିଯୋଗ ପାଇନି। ଦୈନନ୍ଦିନ ବୋର୍ଡ ପକ୍ଷରୁ ଠାକୁରଙ୍କ ଭୋଗ ପାଇଁ ଜିନିଷପତ୍ର ଯୋଗାଇଥାଏ। ଏଥିରେ ବୋର୍ଡ ପକ୍ଷରୁ କୌଣସି ବ୍ୟତିକ୍ରମ ହୋଇନାହିଁ। ଯଦି ଏମିତି କିଛି ହେଉଥିବ ତାହା ହେଲେ ଏ ନେଇ ତୁରନ୍ତ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି।

Share