Categories: ବାଣିଜ୍ୟ

ବୁଡ଼ିଗଲା ବ୍ରିଟେନର ୧୭୮ ବର୍ଷର ଥମାସ କୁକ୍‌

ଲଣ୍ଡନ,୨୪-୯: ପର୍ଯ୍ୟଟକଙ୍କୁ ୧୭୮ ବର୍ଷ ଧରି ବିଭିନ୍ନ ସେବା ଯୋଗାଇ ଆସୁଥିବା ବ୍ରିଟେନର ପ୍ରସିଦ୍ଧ କମ୍ପାନୀ ଥମାସ କୁକ୍‌ ଶେଷରେ ବୁଡ଼ିଗଲା। ଜରୁରିକାଳୀନ ପାଣ୍ଠି ଯୋଗାଡ କରିବାରେ ବିଫଳ ହେବାରୁ ରବିବାର ରାତିରୁ କମ୍ପାନୀ ନିଜକୁ ଦେବାଳିଆ ଘୋଷଣା କରିଛି। ଫଳରେ କମ୍ପାନୀର ୨୨ ହଜାର କର୍ମଚାରୀ ଏବେ ନିଯୁକ୍ତି ହରାଇବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୯ ହଜାର କେବଳ ବ୍ରିଟିଶ୍‌ କର୍ମଚାରୀ ବୋଲି ଜଣାପଡିଛି।
ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଦେବାଳିଆ ଘୋଷଣା ପରେ ଥମାସ କୁକ୍‌ର ପ୍ରାୟ ୧.୫ ଲକ୍ଷ ବ୍ରିଟିଶ ଗ୍ରାହକ ସାରା ବିଶ୍ୱରେ ଛୁଟି ବିତାଇବାକୁ ଯାଇ ଫସି ଯାଇଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବଡ଼ ଅଭିଯାନ ଆରମ୍ଭ କରାଯିବ। ଥମାସ କୁକ୍‌ ବ୍ୟବସାୟିକ କ୍ଷତିରୁ ବାହାରି ଆସିବା ଲାଗି ଯଥାସାଧ୍ୟ ପ୍ରୟାସ କରି ବିଫଳ ହୋଇଛି। କମ୍ପାନୀ ଦେବାଳିଆ ହେବାରୁ ନିଜକୁ ରକ୍ଷା କରିବା ଲାଗି ଘରୋଇ ନିବେଶକଙ୍କ ଠାରୁ ୨୫ କୋଟି ଡଲାର ଅର୍ଥ ଯୋଗାଡ କରିବାକୁ ପ୍ରୟାସ ଚଳାଇଥିଲା।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ଋଣ ପ୍ରଦାନକୁ ନେଇ କମ୍ପାନୀର ଶେୟାରଧାରୀ ଓ ଋଣ ପ୍ରଦାନକାରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇପାରିଲା ନାହିଁ। ଏହାପରେ କମ୍ପାନୀକୁ ତତ୍କାଳ ଦେବାଳିଆ ଘୋଷଣା କରିବା ଲାଗି ବୋର୍ଡ ନିଷ୍ପତ୍ତି ନେଇଛି। କାରଣ କମ୍ପାନୀ ନିକଟରେ ଦ୍ୱିତୀୟ ବିକଳ୍ପ ନ ଥିଲା ବୋଲି ଏକ ବିବୃତି ଜାରି କରି କୁହାଯାଇଛି।
ସୂଚନାଥାଉ କି, ୧୮୪୧ରେ ଥମାସ କୁକ୍‌ ନିଜ ନାମରେ କମ୍ପାନୀକୁ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏହା ବ୍ରିଟେନରେ ଘରୋଇ ଯାତ୍ରୀଙ୍କୁ ସେବା ଯୋଗାଉଥିଲା। ପରେ ଏହା ବିଦେଶ ଯାତ୍ରା ଯୋଗାଇ ଦେଉଥିଲା। ଏହି ଘଟଣା ପରେ ୬ ଲକ୍ଷ ପର୍ଯ୍ୟଟକଙ୍କ ବୁକିଂକୁ ସୋମବାର ବାତିଲ କରିଦିଆଯାଇଛି। ଥମାସ କୁକ୍‌ ସିଇଓ ପିଟର ଫ୍ରାଙ୍କହଜର ଏହାକୁ ‘ଅତ୍ୟନ୍ତ ଦୁଃଖର ଦିନ’ ବୋଲି ଅଭିହିତ କରିଛନ୍ତି। କମ୍ପାନୀ ବନ୍ଦ ହେବା ଯୋଗୁ କେବଳ କର୍ମଚାରୀ ନୁହନ୍ତି ଗ୍ରାହକ, ଯୋଗାଣକାରୀ ଓ କମ୍ପାନୀର ପାର୍ଟନର ପ୍ରଭାବିତ ହେବେ। ଏହାକୁ ଦୃଷ୍ଟିରେ ରଖି ଫ୍ରାଙ୍କହଜର ସମସ୍ତଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ଏହି ଘଟଣା ଉପରେ ନଜର ରଖିଥିବା ୟୁକେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ସିଏଏ) ପକ୍ଷରୁ କୁହାଯାଇଛିି ଯେ, ଚଳିତ ମାସ ୨୩ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବ୍ରିଟିଶ ଗ୍ରାହକଙ୍କୁ ସ୍ବଦେଶ ଫେରାଇ ଅଣାଯିବ।

Share