Advertisement

ବୁଡ଼ିବାକୁ ବସିଲାଣି ମାଟିଦୀପ ବେଉସା

ଯୋଡ଼ା, ୨୬।୧୦(ଡି.ଏନ.ଏ.)- ଆଲୋକର ପର୍ବ ଦୀପାବଳିରେ ଦୀପର ଚାହିଦା ନିଆରା। ଏହି ପର୍ବରେ ମାଟି ଦୀପ ଜାଳିବା ପରମ୍ପରା ସବୁଠି ରହିଛି। ହେଲେ ହାଟ ବଜାରକୁ ଚାଇନାରେ ତିଆରି ଲାଇଟ୍‌ ଆସିବା ପରଠାରୁ ସ୍ଥାନୀୟ ଅଞ୍ଚଳରେ ମାଟିରେ ଦୀପ ତିଆରି କରୁଥିବା କୁମ୍ଭକାରଙ୍କ ମାଟିଦୀପ ବେଉସା ବୁଡିବାରେ ଲାଗିଛି। ଲୋକେ ଚାଇନା ତିଆରି ରଙ୍ଗବେରଙ୍ଗ ଲାଇଟ୍‌ କିଣି ଏହାକୁ ଅଧିକ ଭାବେ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଦୀପାବଳିକୁ ଦୃଷ୍ଟିରେ ରଖି ମାଟିଦୀପ ତିଆରି କରୁଥିବା କୁମ୍ଭକାରମାନେ ଉଚିତ ମୂଲ୍ୟ ପାଇପାରୁ ନାହାନ୍ତି ା
ଯୋଡା ସହରଠାରୁ ପ୍ରାୟ ୨୦ କିମି ଦୂରରେ ଅବସ୍ଥିତ ଅଁସେଇକଳା ଓ ସାନବଡବିଲ୍‌ ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ କୁମ୍ଭକାର ପରିବାର ରହିଛନ୍ତି। ସେମାନେ ପାରମ୍ପରିକ ବୃତ୍ତିକୁ ଆଦରି ମାଟି ହାଣ୍ଡି, ମାଟି ଦୀପ ସହିତ ବିଭିନ୍ନ ସାମଗ୍ରୀ ପ୍ରଭୃତି ତିଆରି କରି ଏହାକୁ ହାଟବଜାରରେ ବିକି ଜୀବିକା ନିର୍ବାହ କରୁଛନ୍ତି। ସେମାନେ ଏସବୁ ସାମଗ୍ରୀ ଯୋଡା, ବଡବିଲ୍‌, ଚମ୍ପୁଆ, ଜୟନ୍ତୀଗଡ ଆଦି ଅଞ୍ଚଳକୁ ନେଇ ବିକ୍ରି କରିଥାନ୍ତି। ମାତ୍ର ଚାଇନା ନିର୍ମିତ ପ୍ଲାଷ୍ଟିକ ବତି ବିକ୍ରି ବୃଦ୍ଧି ପାଉଥିବାରୁ ମାଟି ତିଆରି ବତିର ଚାହିଦା କ୍ରମେ ହ୍ରାସ ପାଇବାରେ ଲାଗିଛି। ଝାଡଖଣ୍ଡର ବ୍ୟବସାୟୀମାନେ ଏବେ ଆଧୁନିକ ବିଦ୍ୟୁତ୍‌ଚାଳିତ ଦୀପ, ବତି ଓ ଲାଇଟ୍‌ ଏ ଅଞ୍ଚଳରେ ବିକ୍ରି କରୁଥିବାରୁ ଲୋକେ ଏସବୁ ସାମଗ୍ରୀ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି। ଅଁସେଇକଳା ଗ୍ରାମର ମହିଳା କାରିଗର ଅର୍ପିତ ବେହେରା କହିଛନ୍ତି, ମାଟି ଦୀପ ତିଆରି ଆମ କୁଳ ବ୍ୟବସାୟ । ଏଥିଲାଗି ଆମେ ଆଗୁଆ ମାଟି ଦୀପ ଗଢି ଦୀପାବଳିରେ ବେପାର କରିଥାଉ । ଆଗରୁ ପୂଜା ପାର୍ବଣ, ଯାନିଯାତ୍ରା ଓ ବିବାହ ଉତ୍ସବ ସମୟରେ ମାଟିପାତ୍ରର ଭଲ ଚାହିଦା ରହୁଥିଲା। ବିଶେଷକରି ଦୀପାବଳି ଉପଲକ୍ଷେ ସେମାନେ ଅଧିକ ସଂଖ୍ୟାରେ ମାଟି ଦୀପ ତିଆରି କରି ଏହାକୁ ବିକି ପରିବାର ଚଳାଉଥିଲେ। ଏବେ ମାଟି ଦୀପ ବିକିଲେ ଉଚିତ ପ୍ରାପ୍ୟ ମିଳୁ ନ ଥିବାରୁ ଜୀବିକା ନିର୍ବାହ କରିବା କଷ୍ଟସାଧ୍ୟ ହୋଇପଡିଲାଣି। ଗ୍ରାମର ଅନ୍ୟଜଣେ ମହିଳା କାରିଗର ରୁକ୍ମିଣୀ ବେହେରା ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତକରି କହିଛନ୍ତି, ଦୀପାବଳି ପର୍ବ ଆସିଲେ ଗ୍ରାମର ଆବାଳ ବୃଦ୍ଧବନିତା ମାଟି ଦୀପ ତିଆରି କାମରେ ଲାଗି ପଡିଥାନ୍ତି। ପାରମ୍ପରିକ ବୃତ୍ତିକୁ ଆପଣାଇ ସେମାନେ ଏବେ ଅବହେଳିତ, ନିଷ୍ପେଷିିତ । କୁମ୍ଭକାରମାନଙ୍କ ବୃତ୍ତିକୁ ବଞ୍ଚାଇବା ଲାଗି ସରକାରୀ ପ୍ରୋସତ୍ାହନ ନିହାତି ଆବଶ୍ୟକ ବୋଲି ଯୋଡା ବିଜୁ ଜନତା ଦଳ ସଭାପତି ମାନସ ଦାସ , ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ପ୍ରମୁଖ ମତପୋଷଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share