ବନ୍ତ,୨୩।୫(ଡି.ଏନ୍.ଏ.) – ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁ ନ ଥିଲେ ବି ଅନେକ ଗ୍ରାମୀଣ କଳାକାର ପୁରୁଣା ବୃତ୍ତିକୁ ନେଇ ଜିଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି। ଆଗରୁ ଭଦ୍ରକ ଜିଲା ବନ୍ତ ଅଞ୍ଚଳରେ ଅନେକ କୁମ୍ଭକାର ମାଟି ସାମଗ୍ରୀ ପ୍ରସ୍ତୁତ କରି ପରିବାର ଚଳାଉଥିଲେ। ବର୍ତ୍ତମାନ ଅନେକ ସ୍ଥାନରେ ଏହି ପାରମ୍ପରିକ ବୃତ୍ତି ଲୋପ ପାଇଗଲାଣି। ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ହାଡିବନ୍ଧୁ ବେହେରା କହିଛନ୍ତି, ସମୟର ପରିବର୍ତ୍ତନ ସବୁ କିଛି ଓଲଟପାଲଟ କରିଦେଇଛି। ତଥାପି ସେ ହାର୍ ନ ମାନି ୪୦ ବର୍ଷ ଧରି ମାଟି ସାମଗ୍ରୀ ପ୍ରସ୍ତୁତ କରିଆସୁଛନ୍ତି। ତାଙ୍କ ବାପା ସ୍ବର୍ଗତ ପ୍ରାଣକୃଷ୍ଣ ବେହେରାଙ୍କ ଠାରୁ ସେ ଏହି ସାମଗ୍ରୀ ପ୍ରସ୍ତୁତ କଳା ଶିଖିଥିଲେ। କଳସ, ଦୀପ, ସରା, ପାଳିକା, ଅଷ୍ଟଗୋଟି, ଡିବି, ଝୁଣାଦାନି, ଘୋଡା ଆଦି ସାମଗ୍ରୀ ତିଆରି କରି ବିଭିନ୍ନ ଗ୍ରାମ ତଥା ବଜାର ବୁଲି ବିକ୍ରୟ କରିଥାନ୍ତି। ମାସିକ ପ୍ରାୟ ୬ ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି ା ନିଜର ସ୍ବଳ୍ପ ଜମି ଓ ଘରେ ୭ ପ୍ରାଣୀ କୁଟୁମ୍ବ ଥିବାରୁ ସେ ଏହି ପୁରୁଣା ବେଉସା ଛାଡି ପାରି ନାହାନ୍ତି। ହାଡିବନ୍ଧୁଙ୍କ ଭଳିି ନିଳୋକ ଗ୍ରାମରେ କରୁଣାକର ବେହେରା, ଶ୍ରୀଧର ବେହେରା, ରନତ୍ାକର ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ସାହୁ, କିଶୋର କୁମାର ବେହେରା, କୃଷ୍ଣଚନ୍ଦ୍ର ବେହେରା, ବାବୁରାମ ବେହେରା, ସୁରେନ୍ଦ୍ର ବେହେରା ପ୍ରମୁଖ ଏହି କୌଳିକ ବୃତ୍ତି ଉପରେ ନିର୍ଭରକରି ଦୁଃଖକଷ୍ଟରେ ଚଳୁଛନ୍ତି । ବନ୍ତ ବ୍ଲକର ସିଲନ୍ଦି, ଷେଣ୍ଢତୀରା, ବନ୍ତ, ଡାଳିମ୍ବଗଢିଆ, ବଳଭଦ୍ରପୁର, ଆଗରପଡା, ଗୋବିନ୍ଦପୁର, ବାଲୋ ଆଦି ଗ୍ରାମର କୁମ୍ଭକାରମାନେ କୁଳ ବେଉସାକୁ ବଞ୍ଚାଇ ରଖିବା ଲାଗି ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ସରକାରୀ ସ୍ତରରେ ପ୍ରୋତ୍ସାହନ ନ ମିଳିଲେ ଏହି ବୃତ୍ତି ବୁଡିଯିବ ବୋଲି କୁମ୍ଭକାରମାନେ କହିଛନ୍ତି।