ବୁଢାବଳଙ୍ଗରେ ନିର୍ମାଣାଧୀନ ପୋଲର ସେଣ୍ଟ୍ରିଂ ଭୁଶୁଡ଼ିଲା

ବାଲେଶ୍ୱର ଅଫିସ, ୨୧।୫-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଫୁଲାଡ଼ି ଛକ ନିକଟରେ ବୁଢ଼ାବଳଙ୍ଗ ନଦୀ ଉପରେ ନୂତନ ଭାବେ ନିର୍ମାଣ ଚାଲିଥିବା ପୋଲର ସେଣ୍ଟ୍ରିଂ ଗୁରୁବାର ଅପରାହ୍ନ ସମୟରେ ଭୁଶୁଡ଼ି ପଡିଛି। ଏଥିରେ କୌଣସି ପ୍ରକାରେ କ୍ଷତି ନ ହୋଇଥିବା ବେଳେ କାର୍ଯ୍ୟରେ ପୁଣି ବିଳମ୍ବ ହେବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁୁହାଯାଇଛି।
ପୋଲରେ ଛାତ ପକାଇବା ପାଇଁ ବାତ୍ୟା ପୂର୍ବରୁ ସେଣ୍ଟ୍ରିଂ ସରିଥିଲା। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ନଦୀରେ ଜଳପତ୍ତନ ବୃଦ୍ଧି ପାଇ ସେଣ୍ଟ୍ରିଂ ପାଇଁ ତଳେ ଦିଆଯାଇଥିବା ଖମ୍ବ ମଧ୍ୟରୁ ଗୋଟିଏ ଖମ୍ବ ଭାସିଯାଇଥିଲା। ଫଳରେ ଅନ୍ୟ ଖମ୍ବଗୁଡିକ ଭାରସାମ୍ୟ ହରାଇ ଖସିଯିବାରୁ ସେଣ୍ଟ୍ରିଂ ଭୁଶୁଡି ପଡିଥିଲା। ଅନ୍ୟପକ୍ଷରେ ଉକ୍ତ ପୋଲ ନିକଟରେ ଥିବା ବ୍ରିଟିଶ୍‌ ଅମଳର ଲୁହାପୋଲ ଗତ ୧୬ ତାରିଖ ସନ୍ଧ୍ୟାରେ ହଠାତ୍‌ ଦବି ଯାଇଥିଲା। ଉକ୍ତ ଦିନଠାରୁ ଯା’ଆସ ବନ୍ଦ ରହିଛି। ଏହି ଦୃଷ୍ଟିକୋଣରୁ ନୂତନ ପୋଲର କାର୍ଯ୍ୟ ଯଥାଶୀଘ୍ର ଶେଷ ହେବାର ଗୁରୁତ୍ୱ ରହିଛି। ଏହି ନଦୀପୋଲ ଉପରେ ଉତ୍ତରବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା, ରୂପ୍‌ସା, ଫୁଲାଡ଼ିର ଲୋକେ ସହରକୁ ଆସିବା ପାଇଁ ନିର୍ଭର କରିଥାନ୍ତି। ଏବେ ପ୍ରାୟ ୧୫ କି.ମି. ବୁଲି ରେମୁଣା ଗୋଲେଇ ଦେଇ ଆସୁଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।