ବୁଥ୍‌ ବାହାରେ କଂଗ୍ରେସ ପ୍ରାର୍ଥୀଙ୍କ ଦାଦାଗିରି

ରାଞ୍ଚି,୩୦।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟର ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଏଠାରେ ୧୩ଟି ଆସନ ପାଇଁ ପ୍ରାୟ ୪,୮୯୨ଟି କେନ୍ଦ୍ରରେ ମତଦାନ ଚାଲିଛି। ଏହାରି ଭିତରେ ପଲାମୁ ଜିଲାର କୋସିୟାରା ଗାଁର ଏକ ମତଦାନକେନ୍ଦ୍ର ବାହାରେ କଂଗ୍ରେସ ଓ ଭାଜପା ସମର୍ଥକ ମୁହାଁମୁହିଁ ହୋଇଥିଲେ। ସେହି ସମୟରେ କଂଗ୍ରେସର ପ୍ରାର୍ଥୀ କେ.ଏନ୍‌ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଇଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଭାଜପାର ସମର୍ଥକମାନେ ବୁଥ୍‌ ଭିତରକୁ ଯିବା ପାଇଁ ତ୍ରୀପାଠିଙ୍କୁ ଅଟକାଇଥିଲେ। ଏହାପରେ ଦୁଇ ଦଳ ମଧ୍ୟରେ ବଚସା ହେବା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ସମୟ ପରେ ତ୍ରୀପାଠି ହାତରେ ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଉଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଘଟଣାରେ ନିର୍ବାଚନ କମିଶନର ଅବଗତ ହେବା ସହ ଜିଲା ପ୍ରଶାସନକୁ ଏନେଇ ରିପୋର୍ଟ ତଲବ କରିଛନ୍ତି।

Share