Advertisement

ବୁଦ୍ଧଖୋଲ ମହୋତ୍ସବ ଉଦ୍‌ଘାଟିତ: ନାଚଗୀତରେ ଝୁମିଲେ ଦର୍ଶକ

ବୁଗୁଡ଼ା,୧୨ା୧(ଡି.ଏନ.ଏ.)-ବୁଗୁଡ଼ା ବୁଦ୍ଧଖୋଲ ମହୋତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବକୁ ବିଜ୍ଞାନ ଓ କାରିଗରୀ କୌଶଳ ସାଧାରଣ ଉଦ୍ୟୋଗ ତଥା ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିବା ସହ ଭାରତର ମାନଚିତ୍ରରେ ବୁଦ୍ଧଖୋଲ ପର୍ଯ୍ୟଟନସ୍ଥଳୀକୁ ବିଶେଷ ମାନ୍ୟତା ଦେବା ପାଇଁ ସୂଚନା ଦେଇଥିଲେ। ଏଥିସହ ବୁଦ୍ଧଖୋଲ ପାହାଡ଼ରୁ ମନ୍ଦିର ଉପରକୁ ଯିବା ପାଇଁ ରୋପୱେ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ। ମହୋତ୍ସବରେ ଖଲ୍ଲିିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ପ୍ରମୁଖ ଯୋଗଦେଇ ବୁଦ୍ଧଖୋଲକୁ ଆକର୍ଷଣୀୟ କରିବା ପାଇଁ ଏହାର ଉତ୍ତରୋତ୍ତର ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିନେ ତାରକା ବିଜୟ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ଆଶୁତୋଷ ମହାନ୍ତି ଓ ଶ୍ରୀଦାତା ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବରେ ବୁଦ୍ଧଖୋଲ ମହୋତ୍ସବ ନାମକ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲା ପରିଷଦ ସଭ୍ୟ ଭୁବନେଶ୍ୱରୀ ଖଟାଇ, ସଭ୍ୟ ରେବତୀ ମୋହନ ନାୟକ, ପୂର୍ବତନ ଉପନଗରପାଳ ଚିତ୍ରସେନ ପ୍ରଧାନ, ଧରଣୀଧର ପଣ୍ଡା, କୋଷାଧ୍ୟକ୍ଷ କେ. ତ୍ରିଲୋଚନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ଆଞ୍ଚଳିକ ଲୋକନୃତ୍ୟ ହିରଣ୍ୟ ପ୍ରହଲ୍ଲାଦ ନାଟକ, ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ଆଦି ନୃତ୍ୟରେ ଦର୍ଶକ ଝୁମିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share