ବୁଦ୍ଧିମତ୍ତା ବଢ଼ାଏ ଯୋଗ

ନିୟମିତ ଯୋଗ କରିବା ଦ୍ୱାରା କି ଉପକାର ମିଳେ ତାହା କେବଳ ଅନୁଭବୀ ହିଁ ଜାଣେ। ତେଣୁ ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରିଛନ୍ତି। ଯୋଗ କରିବା ଫଳରେ ଆମର ଯେଉଁ ଉପକାର ହୋଇଥାଏ ସେହି ତାଲିକାରେ ନିକଟରେ ଆଉ ଏକ କଥାକୁ ସାମିଲ କରାଯାଇଛି। ତାହା ହେଲା ବୁଦ୍ଧିମତ୍ତା। ଅର୍ଥାତ୍‌, ପ୍ରତିଦିନ ଯୋଗ କରିବା ଦ୍ୱାରା ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ‘ବୁଦ୍ଧିମତ୍ତା ଓ ଯୋଗ’ ଶୀର୍ଷକ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ ନିକଟରେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାକୁ ଯୋଗ କରୁ ନ ଥିବା ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ସହ ତୁଳନା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ନିୟମିତ ଯୋଗ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ବୁଦ୍ଧିମତ୍ତା ଯୋଗ କରୁ ନ ଥିବା ବ୍ୟକ୍ତିଙ୍କଠାରୁ ପ୍ରଖର ଥିବାର ଜଣାପଡ଼ିଥିଲା। ତେବେ ଯୋଗ କରିବା ପୂର୍ବରୁ ପରିବେଶ ଏବଂ ନିଜର ସ୍ବାସ୍ଥ୍ୟ ପ୍ରତି ନଜର ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି।