ବୁଧବାରଠାରୁ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୧୨ା୬: ପ୍ରାୟ ଅଢ଼େଇ ମାସ ବ୍ୟବଧାନ ପରେ ଏସ୍‌ସିବିରେ ଆରମ୍ଭ ହେବ ଅସ୍ଥିମଜ୍ଜା ପ୍ରତିରୋପଣ। ଏଥିପାଇଁ ଏସ୍‌ସିବି କ୍ଲିନିକାଲ ହେମାଟୋଲୋଜି ବିଭାଗରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏବେ କେବଳ ବାକି ରହିଛି ହେପା ଫିଲଟର, ଏସି ଓ ଅନ୍ୟ ଉପକରଣର ଯାଞ୍ଚ ପ୍ରକ୍ରିୟା। ୧୭ ତାରିଖରେ ୭୭ତମ ଓ ୧୯ ତାରିଖରେ ୭୮ତମ ରୋଗୀଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ କରାଯିବ। ଶୁକ୍ରବାର ସୁଦ୍ଧା ୭୭ତମ ରୋଗୀଙ୍କ ସମସ୍ତ ପରୀକ୍ଷା ଶେଷ ହୋଇଛି। ଉଭୟ ରୋଗୀଙ୍କ ଅଟୋଲୋଗସ୍‌ (ନିଜସ୍ବ ଅସ୍ଥିମଜ୍ଜା)କୁ ପ୍ରତିରୋପଣ କରାଯିବ। ଅତୀତରେ ଏହି ଦୁଇ ରକ୍ତ କର୍କଟ (ମଲ୍ଟିପୁଲ ମାୟୋଲୋମା)ରୋଗୀ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ଯାଇ ଫେରି ଆସିଥିଲେ। ଏହି ଦୁଇଜଣ ରୋଗୀଙ୍କ ସମସ୍ତ ଅସ୍ତ୍ରୋପଚାର ପ୍ରକ୍ରିୟା କ୍ଳିନିକାଲ ହେମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ କରାଯିବ। ଆସିଷ୍ଟାଣ୍ଟ ପ୍ରଫେସର ଡା. ମନମୋହନ ବିଶ୍ୱାଳ, ଡା. ସୁଧା ସେଠୀ, ଡା. ରାଜୀବ ନାୟକ, ସିନିୟର ରେସିଡେଣ୍ଟ ଡା. ଦିବ୍ୟଜ୍ୟୋତି ପୃଷ୍ଟି, ଲାବୋରାଟୋରୀ ଟେକ୍ନିସିଆନ ଆର୍‌.ଏନ୍‌. ସାହୁ, ଦେବୀ ଜେନା, ରଶ୍ମିରଞ୍ଜନ, ସେବିକା ସ୍ନେହଲତା ମଙ୍ଗରାଜ, ରଞ୍ଜିତା ଓ ମନ୍ଦାକିନୀ ସହଯୋଗ କରିବେ।

Share