ବୁଧବାର ପୁରୀ ଡିଭିଜନରେ ପକ୍ଷୀ ଗଣନା: ନିୟୋଜିତ ହେବେ ୨୩ ଟିମ୍‌

ପୁରୀ ଅଫିସ, ୭ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ବୁଧବାର ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ ଗତ ୩ ତାରିଖରେ ପକ୍ଷୀ ଗଣନା କରାଯାଇଥିଲା। ପୁରୀ ଡିଭିଜନରେ ମଧ୍ୟ ଏହି ଦିନ ଗଣତି କରାଯିବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ଏଥିପାଇଁ ଗତ ୨ତାରିଖରେ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା। କିନ୍ତୁ ୩ରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା। ପକ୍ଷୀ ଗଣନା ପାଇଁ ୨୩ଟି ଟିମ୍‌ ଗଠନ କରାଯାଇଛି। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଏହି ଗଣନା ହେବ ବୋଲି ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି ।

ଡିଏଫ୍‌ଓଙ୍କ ସୂଚନା ମୁତାବକ ପୁରୀ ଡିଭିଜନରେ ୫ଟି ରେଞ୍ଜ ବାଲୁଖଣ୍ଡ, କୋଣାର୍କ, ଅସ୍ତରଙ୍ଗ, ଗୋପ, ବ୍ରହ୍ମଗିରି ରହିଛି। ପକ୍ଷୀ ଗଣନା ପାଇଁ ସମସ୍ତ ରେଞ୍ଜ ଅଫିସର, ଫରେଷ୍ଟର, ଗାର୍ଡ ଏବଂ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପୁରୀ ଡିଭିଜନ ଅନ୍ତର୍ଗତ ଯେଉଁସବୁ ସ୍ଥାନରେ ଜଳାଶୟ ରହିଛି ଏବଂ ପକ୍ଷୀ ଆସିଛନ୍ତି ସେ ସବୁ ସ୍ଥାନରେ ଗଣନା କରାଯିବ। ଏଥିଲାଗି ୨୩ଟି ସ୍ଥାନ ଚିହ୍ନଟ କରାଯାଇ ୨୩ଟିମ୍‌ ଗଠନ କରାଯାଇଛି। ଏରିଆ ଏବଂ ପକ୍ଷୀଙ୍କ ସମାଗମକୁ ନଜରରେ ରଖି ପ୍ରତି ଟିମ୍‌ରେ ୩ରୁ ୪ ଜଣ ଲେଖାଏ ସଦସ୍ୟ ରହିବେ। ରତ୍ନଚିରା, ଗଙ୍ଗାଦେବୀ, କୁଶଭଦ୍ରା, ପ୍ରାଚୀ, କାଦୁଆ ନଦୀ ଏବଂ କେଳୁଣୀ ମୁହାଣ ପ୍ରଭୃତି ୨୩ଟି ସ୍ଥାନରେ ଏହି ଗଣନା ହେବ। ଏଥିରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ, ବନ୍ୟପ୍ରାଣୀ ପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ସାମିଲ ରହିବେ।

Share