Categories: ଜାତୀୟ

ବୁଧବାର ଭାରତ ବନ୍ଦ: କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ,୭ା୧: ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଆଗାମୀ ୮ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରାୟ ୨୫ କୋଟି ଲୋକ ଏଥିରେ ଭାଗ ନେବେ ବୋଲି କୁହାଯାଇଛି। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସ୍‌ଇଡବ୍ଲ୍ୟୁଏ, ଏଆଇସିସିଟିୟୁ, ଏଲ୍‌ପିଏଫ୍‌, ୟୁଟିୟୁସି ଟ୍ରେଡ ୟୁନିୟନ ସହ ବିଭିନ୍ନ ମହାସଂଘ ପକ୍ଷରୁ ବନ୍ଦକୁ ସଫଳ କରିବା ଲାଗି ଆହ୍ବାନ ଦିଆଯାଇଛି। ପ୍ରାୟ ୬୦ ଛାତ୍ର ସଙ୍ଗଠନ, କଂଗ୍ରେସ ଏହି ବନ୍ଦକୁ ସମର୍ଥନ କରିଛନ୍ତି। ସେପ୍ଟେମ୍ବର ଶେଷ ଭାଗରେ ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଲାଗି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶ୍ରମିକଙ୍କ ଦାବିକୁ ଶ୍ରମ ମନ୍ତ୍ରଣାଳୟ ଅଣଦେଖା କରିବା ପରେ ଗତ ୨ରେ ଏନେଇ ବୈଠକ ବସି ସର୍ବସମ୍ମତି କ୍ରମେ ଭାରତ ବନ୍ଦ ଲାଗି ଘୋଷଣା କରାଯାଇଥିଲା। ଦେଶରେ ଶ୍ରମିକ ଅଶାନ୍ତି, ଦରଦାମ ବୃଦ୍ଧି, ଛାତ୍ରୀଛାତ୍ରଙ୍କ ଫି ବୃଦ୍ଧି, ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ, ସିଏଏ ଆଦିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଟ୍ରେଡ ୟୁନିୟନ ପକ୍ଷରୁ ଜେଏନ୍‌ୟୁ ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି। ୨୦୧୫ ପରଠାରୁ ଭାରତୀୟ ଶ୍ରମିକ ସଙ୍ଗଠନର ସମ୍ମିଳନୀ ନ ହେବା, ରେଳ ଓ ଜାତୀୟ ଉଦ୍ୟୋଗଗୁଡ଼ିକୁ ଘରୋଇକରଣ କରିବାକୁ ବିରୋଧ କରାଯାଇଛି।

Share