Categories: ଖେଳ

ବୁମରା ଦ୍ରୁତତମ ଭାରତୀୟ

ନର୍ଥ ସାଉଣ୍ଡ (ଆଣ୍ଟିଗୁଆ),୨୪।୮: ଯଶପ୍ରୀତ ବୁମରା ଟେଷ୍ଟ ଫର୍ମାଟରେ ୫୦ ଉଇକେଟ ନେବାରେ ଦ୍ରୁତତମ ଭାରତୀୟ ବୋଲର ହୋଇଯାଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଡାରେନ ବ୍ରାଭୋଙ୍କୁ ଏଲବିଡବ୍ଲ୍ୟୁ କରାଇ ବୁମରା କ୍ୟାରିୟରର ୫୦ତମ ଉଇକେଟ ହାସଲ କରିଛନ୍ତି। ୨୫ ବର୍ଷୀୟ ପେସର କ୍ୟାରିୟରର ୧୧ତମ ଟେଷ୍ଟରେ ଏହି ସଫଳତା ପାଇଛନ୍ତି। ଏହି ଧାରାରେ ସେ ପୂର୍ବତନ ପେସର ଭେଙ୍କଟେଶ ପ୍ରସାଦ ଓ ମହମ୍ମଦ ସାମିଙ୍କୁ ପଛରେ ପକାଇଛନ୍ତି। ଦୁଇ ଦ୍ରୁତ ବୋଲର କ୍ୟାରିୟରର ୧୩ତମ ମ୍ୟାଚ୍‌ରେ ୫୦ ଉଇକେଟ ନେଇଥିଲେ। ଏହି ତାଲିକାରେ ପୂର୍ବତନ ପେସର ଇର୍ଫାନ ପଠାନ ଓ ଏସ୍‌. ଶ୍ରୀସନ୍ତ ରହିଛନ୍ତି। ଉଭୟେ ୧୪ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ। ଉଲ୍ଲେଖଥାଉ କି, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୫୮ ରନ୍‌ର ଇନିଂସ ଯୋଗୁ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୯୭ ରନ୍‌ କରିପାରିଛି। ଜବାବରେ ଘରୋଇ ଇଣ୍ଡିଜ ଦଳ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୮ ଉଇକେଟ ହରାଇ ୧୮୯ ରନ କରିଛି। ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ଦୁଇ ଉଇକେଟରେ ୧୦୮ ରନ୍‌ ଦରକାର। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୫ ଉଇକେଟ ନେଇଛନ୍ତି।

Share