Categories: ଜାତୀୟ

ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୮।୭: ଆତଙ୍କବାଦୀ ସଂଗଠନଗୁଡ଼ିକ ପକ୍ଷରୁ ସୋମବାର ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଦସ୍ୟ ବୁରହାନ୍‌ ଓ୍ବାନୀଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଯୋଜନା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆବଶ୍ୟକସ୍ଥଳେ ସନ୍ଦିଗ୍ଧ ଯାନବାହନ ତଥା ବ୍ୟକ୍ତି ବିଶେଷଙ୍କ ତଲାସୀ କରାଯାଉଛି। ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କିଛି ଦିନ ତଳେ ସତର୍କ ସୂଚନା ଜାରି କରାଯାଇଥିଲା। ଆଇଇଡି ବିସ୍ଫୋରଣ ତଥା ସ୍ନାଇପରଙ୍କ ସହାୟତାରେ ଆକ୍ରମଣ କରାଯିବା ଲାଗି ଯୋଜନା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏଥିପାଇଁ ପାକିସ୍ତାନରୁ ଲୁଚିଛପି ଭାରତ ଆସିଥିବା ୬ରୁ ୮ ଆତଙ୍କବାଦୀ ଦଳ ଏଭଳି ଯୋଜନା କରିଥିବା ରିପୋର୍ଟରେ ସୂଚତ ହୋଇଥିଲା। ସେମାନେ ନିଜ ନାମ ପରିବର୍ତ୍ତନ କରି କଶ୍ମୀରରେ ଲୁଚି ରହୁଥିବା ଗୋଇନ୍ଦା ବିଭାଗ କହିଛି। ଦଳରେ ଜଣେ ସ୍ନାଇପର ଏକ୍ସପର୍ଟ ରହିଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସର୍ତକ ରଖାଯାଇଛି। ସୂଚନାଯୋଗ୍ୟ, ୩ ବର୍ଷ ତଳେ ୨୦୧୬ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ମୃତ୍ୟୁ ଘଟିଥିଲା।

Share