ବୁରୁଜାଲ ଗାଁରେ ଗୋଷ୍ଠୀ ସଂଘର୍ଷ: ୬ ଆହତ

ଚାନ୍ଦବାଲି,୧୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତର ବୁରୁଜାଲ ଗାଁରେ ବୁଧବାର ସକାଳେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।

ସୂଚନାନୁଯାୟୀ, ଏହି ଗାଁରେ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ବିବାଦ ଦୀର୍ଘ ଦିନ ଧରି ଲାଗି ରହିଛି । ବିଭିନ୍ନ ସମୟରେ ଏହା ସଂଘର୍ଷର ରୂପ ନେଉଛିା ଏନେଇ ଏକାଧିକ ମାମଲା ଚାନ୍ଦବାଲି ଥାନାରେ ରୁଜୁ ହୋଇଛି । ଏକ ରାଜନୈତିକ ଦଳର ଜଣେ ସମର୍ଥକ ବୁଧବାର ସକାଳେ ଏକ ଅଟୋରେ ନିଜର ଚିଙ୍ଗୁଡି ଘେରିକୁ ଖାଦ୍ୟ ନେଇ ଯାଉଥିଲେ । ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଦଳର ସମର୍ଥକ ରାସ୍ତାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେଥିରେ ସେ ଆହତ ହୋଇଥିଲେ । ଏହାକୁ ନେଇ ଗାଁରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଛି । ଏଥିରେ ୩ଟି ବାଇକ ଓ ଗୋଟିଏ ଅଟୋ ଭାଙ୍ଗିରୁଜି ଯାଇଛି । ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।