ଏ. ସୂର୍ଯ୍ୟ ପ୍ରକାଶ
ପ୍ୟାରିସରେ ଥିବା ସୁନାମଧନ୍ୟ ଏନ୍ଜିଓ ‘ରିପୋଟର୍ସ ୱିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ତାହାର ସଦ୍ୟତମ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କ ପ୍ରକାଶ କରିଛି। ଏହି ସୂଚକାଙ୍କରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଲାଗି ଉପଲବ୍ଧ ସ୍ବାଧୀନତାର ମାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି। ସେହି ସୂଚକାଙ୍କରେ ଭାରତ ମଧ୍ୟ ସ୍ଥାନ ପାଇଛି। ଭାରତ ହେଉଛି ବିଶ୍ୱର ସର୍ବବୃହତ୍, ସକ୍ରିୟ ତଥା ଉଦାର ଗଣତନ୍ତ୍ର ଏବଂ ନିର୍ବିବାଦରେ ଭାରତରେ ଏକ ବିବିଧ ଜନସମାଜ ସୁଖଶାନ୍ତିର ସହ ବସବାସ କରନ୍ତି ବୋଲି କୁହାଯାଇପାରେ। ତେବେ ଏହି ୧୮୦ଟି ରାଷ୍ଟ୍ରଙ୍କ ମଧ୍ୟରେ ଭାରତକୁ ଏହି ସୂଚୀରେ ପଛରୁ ୧୪୨ତମ ସ୍ଥାନରେ ରଖାଯାଇଛି। ଗତବର୍ଷ ଭାରତ ୧୪୦ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ଆଉ ଦୁଇ ପଏଣ୍ଟ ତଳକୁ ଖସିଯାଇଛି।
ଗଣମାଧ୍ୟମ ସ୍ବାଧୀନତା ଦୃଷ୍ଟିରୁ ଆର୍ଏସ୍ଏଫ୍ର ଆକଳନ ଅନୁସାରେ ଭାରତର ସ୍ଥିତି ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ କାହିଁକି ଏତେ ଦୟନୀୟ? ଆର୍ଏସ୍ଏଫ୍ର ଗଣତନ୍ତ୍ର ସମ୍ପର୍କିତ ବିଚାର ଏବଂ ଏହା କେଉଁ ପଦ୍ଧତି ଆପଣାଇଛି ସେ ସମ୍ପର୍କରେ ଗଭୀର ଚିନ୍ତନର ଆବଶ୍ୟକତା ରହିଛି।
ଆର୍ଏସ୍ଏଫ୍ ୱେବ୍ସାଇଟ ସୂଚାଏ ଯେ, ସାମ୍ବାଦିକମାନଙ୍କ ପାଇଁ ଉପଲବ୍ଧ ସ୍ବାଧୀନତାର ମାତ୍ରା ବିଶେଷଜ୍ଞମାନଙ୍କ ମତାମତର ସାମଗ୍ରିକ ମୂଲ୍ୟାୟନ ଉପରେ ଆଧାରିତ। ଏଥିପାଇଁ ସେହିସବୁ ବିଶେଷଜ୍ଞଙ୍କୁ ଏକ ବିସ୍ତୃତ ପ୍ରଶ୍ନାବଳୀର ଉତ୍ତର ଦେବାର ବ୍ୟବସ୍ଥା କରାଯାଇଛି। ସେହି ବିପୁଳ ଡାଟାକୁ ସାମଗ୍ରିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇଥାଏ। ମୂଲ୍ୟାୟନ କରାଯାଉଥିବା ଅବଧି ମଧ୍ୟରେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ହିଂସାତ୍ମକ କାଣ୍ଡକୁ ବିଚାରକୁ ନିଆଯାଇଥାଏ। ପ୍ରଶ୍ନାବଳୀରେ ଯେଉଁ ବ୍ୟବସ୍ଥା ଆପଣାଯାଇଛି, ସେଥିରେ ମୋଟ ୮୭ଟି ପ୍ରଶ୍ନ ରହିଛି। ସେଥିରେ ବିବିଧତା, ଗଣମାଧ୍ୟମ ସ୍ବାଧୀନତା, ସ୍ବଚ୍ଛତା ଏବଂ ଖବର ଓ ସୂଚନା ପ୍ରସ୍ତୁତି ଲାଗି ସାମ୍ବାଦିକମାନଙ୍କୁ କେଉଁ ପ୍ରକାରର ସମ୍ବଳ ଯୋଗାଇ ଦିଆଯାଇଛି ଏବଂ ତାହାର ଗୁଣାତ୍ମକ ମାନ ଆଦିକୁ ବିଚାରକୁ ନିଆଯାଇଛି। ଏହି ଅନଲାଇନ ପ୍ରଶ୍ନାବଳୀ ଆର୍ଏସ୍ଏଫ ଦ୍ୱାରା ବିଶ୍ୱର ୧୮ଟି ସ୍ବେଚ୍ଛାସେବୀ ସଂସ୍ଥା (ଏନ୍ଜିଓ) ଏବଂ ୧୫୦ ଜଣ ଖବରଦାତା ତଥା ଗବେଷକ, ବିଚାରପତି, ମାନବାଧିକାର କର୍ମୀ, ଯେଉଁମାନେ କି ସାମ୍ବାଦିକମାନଙ୍କ ଦ୍ୱାରା ଚୟନ କରାଯାଇଥିବେ, ସେମାନଙ୍କ ନିକଟକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଦଶ ପ୍ରତିଶତ ମତଦାତା ହେଉଛନ୍ତି ବିଦେଶୀ ଖବରକାଗଜ ପ୍ରତିନିଧି, ଯେଉଁମାନେ କି ଅଧ୍ୟୟନରେ ସାମିଲ ଦେଶରେ କାର୍ଯ୍ୟରତ ଥିବେ।
କିନ୍ତୁ ଏଠାରେ ଗୋଟିଏ କଥା ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ। ଭାରତ ଭଳି ଏକ ବିଶାଳ ରାଷ୍ଟ୍ରରେ କରାଯାଇଥିତ୍ବା ସର୍ବେକ୍ଷଣର ନମୁନା ଆକାର ବିଶେଷ ବିଚାରଯୋଗ୍ୟ। ଭାରତର ଜନସଂଖ୍ୟା ୧୩୦ କୋଟି। ଏଥିରେ ଯେଉଁସବୁ ମତଦାତାଙ୍କୁ ସେମାନଙ୍କର ମତ ପ୍ରଦାନ ପାଇଁ ଚୟନ କରାଯାଇଛି ସେମାନ ସଂଖ୍ୟା ସ୍ବଳ୍ପ ଏବଂ ସେମାନଙ୍କ ସମ୍ପର୍କରେ ଲୋକମାନେ କ୍ୱଚିତ୍ ଜାଣନ୍ତି। ଏ ସମ୍ପର୍କରେ ଆମେ ପରେ ଆଲୋଚନା କରିବା।
ପ୍ରଥମତଃ ଜଣେ ସହଜରେ ଧାରଣା କରିବା ସ୍ବାଭାବିକ ଯେ ଏକ ଉତ୍ତମ ଗଣତାନ୍ତ୍ରିକ ବାତାବରଣରେ ମୁକ୍ତ ପ୍ରେସ କାର୍ଯ୍ୟ କରିବା ସର୍ବାଦୌ କାମ୍ୟ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏକ ପ୍ରଜାତାନ୍ତ୍ରିକ ସରକାର ଭଳି ବ୍ୟବସ୍ଥାରେ ଗଣତନ୍ତ୍ରର ମୌଳିକ ସୂଚକାଙ୍କ ସମ୍ପର୍କରେ ଏଥିରେ କ୍ୱଚିତ କିମ୍ବା କୌଣସି ପ୍ରାଧାନ୍ୟ ଦିଆଯାଇ ନାହିଁ। ପ୍ରଜାତନ୍ତ୍ରରେ ସମ୍ବିଧାନପ୍ରଦତ୍ତ ବାକ୍ସ୍ବାଧୀନତା ଏବଂ ମତଦାନର ଅଧିକାର ପବିତ୍ର ପ୍ରତିବଦ୍ଧତା। ଧର୍ମନିରପେକ୍ଷତା ମୂଲ୍ୟବୋଧକୁ ଜାରି ରଖିବା ସକାଶେ ତାହା ହେଉଛି ନିର୍ବିବାଦୀୟ ସାମ୍ବିଧାନିକ ବଚନବଦ୍ଧତା। ଧର୍ମ ଓ ରାଷ୍ଟ୍ରକୁ ପରସ୍ପରଠାରୁ ପୃଥକ୍ ରଖିବା, ଆଇନ ଦୃଷ୍ଟିରେ ସମାନତାର ମୌଳିକ ଅଧିକାରର ସୁରକ୍ଷା ଏବଂ ଆଇନ ଦ୍ୱାରା ସମସ୍ତଙ୍କୁ ସମାନ ଭାବେ ସୁରକ୍ଷା ପ୍ରଦାନ କରିବା, ଲିଙ୍ଗଗତ ସମାନତା ତଥା ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତା ଭଳି ମୌଳିକ ଅଧିକାର ପ୍ରଦାନ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଅନ୍ୟସବୁ ପ୍ରମୁଖ ବୈଶିଷ୍ଟ୍ୟ। ପ୍ରତୀୟମାନ ହୁଏ, ଯେପରି ଆର୍ଏସ୍ଏଫ୍ ଦେଶର ଗଣମାଧ୍ୟମ ସ୍ବାଧୀନତା କଥା ମୂଲ୍ୟାୟନ କଲାବେଳେ ଏହିସବୁ ପ୍ରସଙ୍ଗ ପ୍ରତି ଆଦୌ ଦୃଷ୍ଟିପାତ କରିନାହିଁ! ଏବଂ ତାହା ହିଁ ହେଉଛି ସବୁଠାରୁ ବଡ଼ ତ୍ରୁଟି।
ଏଥିରୁ ଏ କଥା ସ୍ପଷ୍ଟ ହୁଏ ଯେ, ଯେତେବେଳେ ଜଣେ କିଛି ରାଷ୍ଟ୍ରର ର଼୍ୟାଙ୍କିଙ୍ଗ୍ ପ୍ରତି ଦୃଷ୍ଟି ନିକ୍ଷେପ କରିବେ, ଯେଉଁମାନଙ୍କୁ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କ୍ୱଚିତ୍ ବିବେଚନା କରାଯାଇପାରିବ, ସେହିଭଳି କେତେକ ରାଷ୍ଟ୍ର ଭାରତର ଢେର୍ ଉପରେ ଏହି ସୂଚକାଙ୍କରେ ରହିଛନ୍ତି। ତାହାର କେତେକ ଉଦାହରଣ ଏଠାରେ ପ୍ରଦାନ କରାଗଲା-
ଆର୍ଏସ୍ଏଫ୍ରେ ଯେତେବେଳେ ଭାରତକୁ ୧୪୨ତମ ସ୍ଥାନରେ ରଖାଯାଇଛି, ସେତେବେଳେ ବୁର୍କିନା ଫାସୋ ଭାରତଠାରୁ ପ୍ରାୟ ୧୦୦ ପଏଣ୍ଟ ପାଇ ୩୬ତମ ସ୍ଥାନରେ ରହିଛି। ଏହା ସେହି ଦେଶ ଯାହାକୁ ଆମେରିକାର ପରରାଷ୍ଟ୍ର ବିଭାଗ କିଛି ବର୍ଷ ପୂର୍ବେ ତା’ର ‘ଟ୍ରାଫିକିଂ ଇନ୍ ପର୍ସନ୍ସ ରିପୋର୍ଟରେ ସ୍ଥାନ ଦେଇଥିଲା। ବୁର୍କିନା ଫାସୋରେ ଏପର୍ଯ୍ୟନ୍ତ ଦାସତ୍ୱପ୍ରଥା ଜାରି ରହିଛି ଏବଂ ଏଠାରେ ଶିଶୁମାନେ ଅଧିକ ମାତ୍ରାରେ ମାନବ ଚାଲାଣର ଶିକାର ହେଉଛନ୍ତି। ଦାସତ୍ୱପ୍ରଥା ଏଠାରେ ଏକ ଅବିଚ୍ଛିନ୍ନ ବ୍ୟବସ୍ଥା ଭାବେ ରହିଛି। ଦେଶରେ ଏହି ପ୍ରଥାର ଏକ ସୁଦୀର୍ଘ ଇତିହାସ ମଧ୍ୟ ରହିଛି। ଏହା ଆରବୀୟ ଦାସ ବିପଣନ ବ୍ୟବସ୍ଥା ଭଳି ପ୍ରାଚୀନ। ୨୦୧୮ରେ ଏ ଦେଶରେ ପ୍ରାୟ ୮୨,୦୦୦ ଲୋକ ‘ଆଧୁନିକ ଦାସତ୍ୱପ୍ରଥା’ ମଧ୍ୟରେ ଜୀବନ ବିତାଉଥିଲେ ବୋଲି ଗ୍ଲୋବାଲ୍ ଦାସତ୍ୱପ୍ରଥା ସୂଚକାଙ୍କରେ ମତ ପ୍ରକାଶ ପାଇଥିଲା।
ସେହିଭଳି ମାଳଦ୍ୱୀପକୁ ସିଏସ୍ଏଫ୍ ସୂଚକାଙ୍କରେ ୭୯ତମ ସ୍ଥାନରେ ସ୍ଥାନିତ କରାଯାଇଛି। ଏହି ରାଷ୍ଟ୍ରର ସମ୍ବିଧାନ ସୂଚିତ କରେ ଯେ୍ ଇସଲାମ ହେଉଛି ମାଳଦ୍ୱୀପର ରାଷ୍ଟ୍ରଧର୍ମ ଏବଂ ‘ଇସଲାମର ମୌଳିକ ନୀତିକୁ ବିରୋଧ କରୁଥିବା କୌଣସି ଆଇନ ମାଳଦ୍ୱୀପରେ ପ୍ରଣୀତ ହୋଇପାରିବ ନାହିଁ।’ ମାଳଦ୍ୱୀପ ସମ୍ବିଧାନର ଧାରା-୯(ଡି) ଘୋଷଣା କରେ ଯେ ‘ଜଣେ ଅଣ ମୁସଲମାନ କଦାପି ମାଳଦ୍ୱୀପର ନାଗରିକ ହୋଇପାରିବେ ନାହିଁ।’
ଏହି ସୂଚକାଙ୍କର ୧୩୫ତମ ସ୍ଥାନରେ ଥିବା ଓମାନ ସୁଲତାନେଟ୍ ଏକ ଆରବ ତଥା ଇସଲାମୀୟ ରାଷ୍ଟ୍ର। ଓମାନ ସମ୍ବିଧାନର ଧାର-୨ କହେ ଯେ, ଇସଲାମ ହେଉଛି ଏଠାକାର ରାଷ୍ଟ୍ରଧର୍ମ ଏବଂ ଇସଲାମିକ ସରିୟା ହେଉଛି ଶାସନ ବ୍ୟବସ୍ଥାର ମୂଳ ଆଧାର। ଏହି ଦେଶର ଶାସନ ବ୍ୟବସ୍ଥା ହେଉଛି ସୁଲତାନୀ, ବଂଶାନୁକ୍ରମିକ, ଯାହାକି ସୟିଦ୍ ତୁକ୍ରି ବିନ୍ ସୈଦ୍ ବିନ୍ ସୁଲତାନଙ୍କ ପରବର୍ତ୍ତୀ ପିଢ଼ିର ପୁରୁଷ ଉତ୍ତରାଧିକାରୀଙ୍କୁ ମିଳିଥାଏ। ପୁରୁଷ ଉତ୍ତରାଧିକାରୀମାନଙ୍କ ମଧ୍ୟରୁ ଯାହାଙ୍କୁ ଦେଶର ଉତ୍ତରାଧିକାରୀ ଶାସକ ଭାବେ ଚୟନ କରାଯିବ ସେ ‘ଜଣେ ମୁସଲମାନ, ପରିପକ୍ୱ, ସୁଚିନ୍ତିତ ତଥା ଓମାନୀ ମୁସଲମାନ ମାତାପିତାଙ୍କର ବୈଧ ସନ୍ତାନ ହୋଇଥିବେ।’
ଅନ୍ୟ ଭାଷାରେ କହିଲେ, ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନୁହେଁ କି ଏକ ପ୍ରଜାତନ୍ତ୍ର ନୁହେଁ ଏବଂ ସେଠାରେ ଲିଙ୍ଗଗତ ସମାନତା ମଧ୍ୟ ନାହିଁ। କାରଣ ସମ୍ବିଧାନ ଅନୁସାରେ କେବଳ ଜଣେ ପୁରୁଷ ମୁସଲମାନ ବ୍ୟକ୍ତି ହିଁ ରାଷ୍ଟ୍ରମୁଖ୍ୟ ହୋଇପାରିବେ।
ସିଏସ୍ଏଫ୍ ସୂଚାକାଙ୍କରେ କୋମୋରୋସ୍ ୭୫ତମ ସ୍ଥାନରେ ରହିଛି। କୋମୋରାନ ସମ୍ବିଧାନ ଦର୍ଶାଏ ଦେଶର ଜନସାଧାରଣ ପବିତ୍ରତାର ସହ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯେ ‘ରାଷ୍ଟ୍ର ଧର୍ମ ଇସଲାମରୁ ସେମାନେ ସେମାନଙ୍କର ସ୍ଥାୟୀ ପ୍ରେରଣା ଆହରଣ କରିବେ ଏବଂ ଏହାର ନୀତି ଓ ନିୟମ ହିଁ ରାଷ୍ଟ୍ରକୁ ଶାସନ କରିବ।’ ଏବେ ଏପରି କିଛି ରାଷ୍ଟ୍ରଙ୍କ ଉପରେ ଦୃଷ୍ଟିପାତ କରିବା, ଯେଉଁଠାରେ ରାଷ୍ଟ୍ର ସ୍ପଷ୍ଟ ଭାବେ ଖ୍ରୀଷ୍ଟିଆନ ଧର୍ମ ସହ ଓତପ୍ରୋତ ଭାବେ ଜଡ଼ିତ। ତାଲିକାର ୬୪ତମ ସ୍ଥାନରେ ଥିବା ଆର୍ଜେଣ୍ଟିନାର ସମ୍ବିଧାନ କହେ ଯେ, ଦେଶର ସଂଘୀୟ ସରକାର ରୋମାନ କାଥୋଲିକ୍ ଆପୋଷ୍ଟୋଲିକ୍ ଧର୍ମକୁ ସମର୍ଥନ ଜଣାଏ।
ଅପରପକ୍ଷରେ ୮୧ତମ ସ୍ଥାନରେ ଥିବା ମାଲଟା ସମ୍ବିଧାନ ଘୋଷଣା କରେ ଯେ ‘ମାଲଟାର ଧର୍ମ ହେଲା ରୋମାନ କାଥୋଲିକ୍ ଆପୋଷ୍ଟୋଲିକ୍ ଧର୍ମ।’ ଏହା ପୁଣି ଦର୍ଶାଏ ଯେ ରୋମାନ କାଥୋଲିକ ଆପୋଷ୍ଟୋଲିକ୍ ଚର୍ଚ୍ଚର କର୍ମକର୍ତ୍ତାମାନଙ୍କର ‘ଦାୟିତ୍ୱ ଓ କର୍ତ୍ତବ୍ୟ ଯେ ରାଷ୍ଟ୍ର ପାଇଁ କ’ଣ ଠିକ୍ ଏବଂ କ’ଣ ଭୁଲ୍ ତାହା ସେମାନେ ଲୋକମାନଙ୍କୁ ଶିକ୍ଷା ଦେବେ।’ ପୁନଶ୍ଚ ରୋମାନ କାଥୋଲିକ୍ ଆପୋଷ୍ଟୋଲିକ୍ ଆସ୍ଥାର ଧର୍ମୀୟ ଶିକ୍ଷା ରାଷ୍ଟ୍ରର ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ ଶିକ୍ଷା ଭାବେ ପ୍ରଦାନ କରାଯିବ।
ନରୱେ ରାଜ୍ୟ ଆର୍ଏସ୍ଏଫ୍ ତାଲିକାରେ ଶୀର୍ଷରେ ରହିଛି ଏବଂ ଏହି ରାଷ୍ଟ୍ର ଗଣମାଧ୍ୟମକୁ ସର୍ବାଧିକ ସ୍ବାଧୀନତା ପ୍ରଦାନ କରିଛି ବୋଲି ଏଥିରେ ସୂଚିତ ରହିଛି। ଏହାର ସମ୍ବିଧାନ ଘୋଷଣା କରେ ଯେ ଏହାର ସରକାରଙ୍କ ଢାଞ୍ଚା ସୀମିତ ଏବଂ ତାହା ବଂଶାନୁକ୍ରମିକ ରାଜତନ୍ତ୍ର। ପୁନଶ୍ଚ ଏହା ସୂଚାଏ ଯେ, ‘ଆମର ମୂଲ୍ୟବୋଧ ଖ୍ରୀଷ୍ଟିଆନ ଧର୍ମ ଏବଂ ମାନବୀୟ ଚିନ୍ତାଧାରାର ଐତିହ୍ୟ ହୋଇ ରହିବ।’ ନରୱେର ରାଷ୍ଟ୍ରମୁଖ୍ୟ ହେବା ପାଇଁ ଯେଉଁ ଯୋଗ୍ୟତା ସମ୍ବିଧାନରେ ଉଲ୍ଲେଖ ରହିଛି ତାହା ହେଲା, ‘ରାଜା ସଦାସର୍ବଦା ଇଭାଞ୍ଜେଲିକାଲ୍ ଲୁଥେରାନ ଧର୍ମ ପାଳନ କରିବେ।’ ପୁନଶ୍ଚ ‘ଯେହେତୁ ରାଜପଦ ପବିତ୍ର, ତାଙ୍କର କୌଣସି ଆଚରଣ ନିଷିଦ୍ଧ ନୁହେଁ କିମ୍ବା ତାଙ୍କୁ ଦୋଷ ଦେଇହେବନାହିଁ।’ଏପରି ଭାବେ ରାଷ୍ଟ୍ରମୁଖ୍ୟଙ୍କୁ ସବୁପ୍ରକାର ବାରଣରୁ ମୁକ୍ତ ରଖାଯାଇଛି। ଅନ୍ୟ ଭାଷାରେ କହିଲେ, ଏହା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ନୁହେଁ। ଏହା ପ୍ରଜାତନ୍ତ୍ର ସତ, କିନ୍ତୁ ଗଣତନ୍ତ୍ରର ଗୋଟିଏ ମୌଳିକ ସର୍ତ୍ତ- ଆଇନ ଦୃଷ୍ଟିରେ ସମସ୍ତେ ସମାନ ଏବଂ ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରଯୁଜ୍ୟ (ଭାରତ ସମ୍ବିଧାନର ଧାରା ୧୪ରେ ବର୍ଣ୍ଣିତ)- ଏହାର ନରୱେରେ କୌଣସି ସ୍ଥାନ ନାହିଁ।
ଅନୁରୂପ ଭାବେ ଡେନମାର୍କ, ଯାହାକି ସିଏସଏଫ ତାଲିକାରେ ୩ୟ ସ୍ଥାନରେ ରହିଛି, ତା’ର ସମ୍ବିଧାନ ଘୋଷଣା କରେ ଯେ ଇଭାଞ୍ଜେଲିକାଲ୍ ଲୁଥେରାନ ଚର୍ଚ୍ଚ ଅଫ୍ ଡେନମାର୍କ ସ୍ଥାପନ କରିବ ଏବଂ ‘ତଦନୁସାରେ ତାହାକୁ ରାଷ୍ଟ୍ର ସମର୍ଥନ ପ୍ରାପ୍ତ ହେବ।’ ଏହାର ଅର୍ଥ, ‘ଏହା ପବିତ୍ର ବାଇବେଲ, ବିଭିନ୍ନ ଉପାସନା ସାଂକେତିକ ପୁସ୍ତକ ଏବଂ ଜର୍ମାନ ଧର୍ମୀୟ ଗୁରୁ ମାର୍ଟିନ୍ ଲୁଥରଙ୍କ ଉପଦେଶାବଳୀ ଉପରେ ପର୍ଯ୍ୟବସିତ।’ ଆଜି ଚର୍ଚ୍ଚ ଅଫ୍ ଡେନମାର୍କକୁ ଆର୍ଥିକ ଓ ଅନ୍ୟାନ୍ୟ ମାର୍ଗରେ ସମର୍ଥନ କରିବା ରାଷ୍ଟ୍ରର ଦାୟିତ୍ୱ ହୋଇଛି।
ସୂଚକାଙ୍କରେ ଗ୍ରୀସ୍ ୬୫ତମ ସ୍ଥାନରେ ରହିଛି। ଗ୍ରୀସ୍ ସମ୍ବିଧାନର ଧାରା ୩ ଘୋଷଣା କରେ ଯେ ‘ଗ୍ରୀସର ପ୍ରଚଳିତ ଧର୍ମ ହେଲା ଇଷ୍ଟର୍ନ ଅର୍ଥୋଡକ୍ସ ଚର୍ଚ୍ଚ ଅଫ୍ କ୍ରିଷ୍ଟ୍ । ଗ୍ରୀସର ଅର୍ଥୋଡକ୍ସ ଚର୍ଚ୍ଚ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ଏହାର ମୁଖ୍ୟ ବୋଲି ସ୍ବୀକାର କରନ୍ତି। ଏହା ଅବିଭାଜ୍ୟ ଭାବେ କନ୍ଷ୍ଟାଣ୍ଟିନୋପଲର ଗ୍ରେଟ୍ ଚର୍ଚ୍ଚ ଅଫ୍ କ୍ରିଷ୍ଟ ଏବଂ ଚର୍ଚ୍ଚ ଅଫ୍ କ୍ରିଷ୍ଟର ପ୍ରତ୍ୟେକ ଅନ୍ୟ ଚର୍ଚ୍ଚଙ୍କ ଅନୁରୂପ ନୀତି ସହିତ ଜଡ଼ିତ।’
ଚର୍ଚ୍ଚ ଓ ରାଷ୍ଟ୍ର ଏବଂ ଧର୍ମ ଓ ରାଷ୍ଟ୍ର ମଧ୍ୟରେ ପୃଥକୀକରଣକୁ ଗଣତନ୍ତ୍ରର ମୂଳ ଆଧାର ବୋଲି ଗ୍ରହଣ କରାଯିବ ନାହିଁ କି? ଏହା ଅନେକ ସମସ୍ୟାଜଡ଼ିତ ପ୍ରସଙ୍ଗ ଭିତରୁ ଗୋଟିଏ, ଯାହା ଆଇଏସ୍ଏଫ୍ ସୂଚକାଙ୍କ ସହ ଜଡ଼ିତ ହୋଇ ରହିଛି। ଏହାଛଡ଼ା ଏହିଭଳି ଆହୁରି ଅନେକ ପ୍ରସଙ୍ଗ ରହିଛି, ଯାହା ବିଚାରସାପେକ୍ଷ।
ବିଶେଷଜ୍ଞ, ଗଣତାନ୍ତ୍ରିକ ଅଧ୍ୟୟନ
(ଅବଶିଷ୍ଟାଂଶ ଦ୍ୱିତୀୟ ଭାଗରେ)