ପାଟନା,୨୫।୧: ବିହାରରେ ଏକ ମହିଳା କଲେଜରେ ଛାତ୍ରୀଙ୍କ ବୁର୍ଖା ପିନ୍ଧି ଆସିବା ଉପରେ କଟକଣା ଲଗାଯାଇଛି। ଛାତ୍ରୀମାନେ ଶନିବାରକୁ ଛାଡ଼ି ଅନ୍ୟ ଦିନ କଲେଜର ଡ୍ରେସ୍ କୋଡ୍ରେ ଆସିବାକୁ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାର ଉଲ୍ଲଂଘନ କଲେ ଛାତ୍ରୀଙ୍କୁ ୨୫୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ ବୋଲି କଲେଜ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ପାଟନାରେ ଥିବା ଜେଡି ମହିଳା ମହାବିଦ୍ୟାଳୟ ପକ୍ଷରୁ ଏଭଳି କଟକଣା ଜାରି ହୋଇଛି। ଛାତ୍ରୀମାନଙ୍କ ମଧ୍ୟରେ ଏକତ୍ୱ ଭାବ ସୃଷ୍ଟି ନେଇ ଏଭଳି କରାଯାଇଥିବା ପ୍ରିନ୍ସପଲ ଶ୍ୟାମା ରାୟ କହିଛନ୍ତି। ଏହା ସହିତ ଅନ୍ୟ କେତେକ ନିୟମ ମଧ୍ୟ କଲେଜ ପକ୍ଷରୁ ଲାଗୁ ହୋଇଛି। ଏସମ୍ପର୍କରେ ଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।