Categories: ଜାତୀୟ

ବୁଲନ୍ଦସହରରେ ୨ ସାଧୁଙ୍କୁ ହତ୍ୟା: ଯୋଗୀଙ୍କ ସହ କଥା ହେଲେ ଉଦ୍ଧବ

ମୁମ୍ବାଇ,୨୮।୪: ସାରା ଦେଶ କରୋନା ମହାମାରୀ ସହ ଲଢୁଥିବା ବେଳେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ୨ଜଣ ସାଧୁଙ୍କୁ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣାକୁ ନେଇ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇଛନ୍ତି। ଉଦ୍ଧବ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯେଗୀଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ରର ପାଲଘରରେ ଯେତେବେଳେ ୨ ସାଧୁଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ଯୋଗୀ ଆଦିତ୍ୟନାଥ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ କଥା ହୋଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ଏବେ ଉଦ୍ଧବ କହିଛନ୍ତି ପାଲଘର ମାମଲାରେ ଆମେ ଯେଭଳି କଡା ପଦକ୍ଷେପ ନେଉଛୁ ଯୋଗୀ ମଧ୍ୟ ସେମିତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଉଦ୍ଧବ ଠାକରେଙ୍କ ବ୍ୟତୀତ ଶିବସେନା ଏମ୍‌ପି ସଞ୍ଜୟ ରାଉତ ମଧ୍ୟ ବୁଲନ୍ଦସହର ସାଧୁଙ୍କ ହତ୍ୟା ମାମଲାକୁ ଧାର୍ମିକ ରୂପ ନ ଦେଇ ବରଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି।

Share