ବୁଲାଗୋରୁଙ୍କୁ ରାସ୍ତାରୁ ଉଠାଇନେଲେ

ବୁଗୁଡ଼ା,୨ା୯(କାଳି ଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ସହରର ରାଜରାସ୍ତା ସାଙ୍ଗକୁ ବିଭିନ୍ନ ସାହିରେ ଗାଈଗୋରୁଙ୍କ ଅବାଧ ବିଚରଣକୁ ନେଇ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରୁଥିଲେ। ଏନେଇ ଏନ୍‌ଏସି ପ୍ରଶାସନ ପକ୍ଷରୁ ଦୀର୍ଘ ଦିନ ଧରି ଡାକବାଜି ଯନ୍ତ୍ର ଯୋଗେ ଅମାନିଆ ଗୋପାଳକଙ୍କୁ ନିଜ ଗାଈଗୋରୁଙ୍କୁ ବାହାରକୁ ନ ଛାଡ଼ିବା ପାଇଁ ନିବେଦନ କରାଯାଉଥିଲା। ହେଲେ କୌଣସି ସୁଫଳ ନ ମିଳିବାରୁ ଏନ୍‌ଏସି କର୍ତ୍ତୃପକ୍ଷ କାଓ କ୍ୟାଚର୍‌ ଗାଡ଼ି ଯୋଗେ ରାସ୍ତାରୁ ଗାଈଗୋରୁଙ୍କୁ ଉଠାଇ ନେଇଛି।
ଅନ୍ୟପକ୍ଷେ ବୁଗୁଡ଼ା ସହରର ରାସ୍ତାଘାଟ ଗାଈଗୋରୁଙ୍କ କବ୍‌ଜାରେ ରହୁଥିବା ଯୋଗୁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିଲା। ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ରାସ୍ତା ନ ପାଇ ଅଟକି ରହୁଥିବା ଦୃଶ୍ୟ ଦେଖିବାକୁ ମିଳୁଥିଲା। ଅମାନିଆ ତଥା ଅସଚେତନ ଗୋପାଳକଙ୍କ ଅବିବେକୀ ଚିନ୍ତାଧାରା ଯୋଗୁ ରାସ୍ତାରେ ଗୋରୁ ମାଳ ମାଳ ବିଚରଣ ସାଙ୍ଗକୁ ଅକଥନୀୟ ଦୌରାତ୍ମ୍ୟ ବୃଦ୍ଧି ହେତୁ ଏନଏସି ପ୍ରଶାସନ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିଲା। ଏନ୍‌ଏସି ପ୍ରଶାସନ ପକ୍ଷରୁ ରାସ୍ତାରୁ ଗାଈଗୋରୁଙ୍କୁ ଉଠାଇନେବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ବୁଲା ଗାଈଗୋରୁଙ୍କୁ ଉଠାଇ ନେଇ ଏନ୍‌ଏସି ଅନ୍ତର୍ଗତ କାଦପଡା ଗୋଶାଳାରେ ରଖାଯାଉଥିବା ଜଣାଯାଇଛି ।

Share