ଛତ୍ରପୁର,୮ା୩(ଡି.ଏନ୍.ଏ.)- କରୋନା ପାଇଁ ସାରା ଦେଶରେ ଲକ୍ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂଗ୍ରହ ଏବେ ଜଟିଳ ସମସ୍ୟା ପାଲଟିଛି। ବେଶୀ ହଇରାଣ ହେଉଛନ୍ତି ପଶୁପକ୍ଷୀ। ଦୋକାନ, ବଜାର, ହୋଟେଲ, ଫାଷ୍ଟଫୁଡ ଷ୍ଟଲ ବନ୍ଦ ପରେ ବୁଲା କୁକୁର ଖାଇବାକୁ ପାଉନାହାନ୍ତି। ଏଭଳି ପରିସ୍ଥିତିରେ ଛତ୍ରପୁରର ମା’ ଓ ପୁଅ ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି। ସେମାନେ ହେଲେ ଛତ୍ରପୁର ସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପ୍ରଭା ନାୟକ ଓ ଢେଙ୍କାନାଳ ସ୍ଥିତ ଆଇଆଇଏମ୍ସିରୁ ସାମ୍ବାଦିକତା ପାସ୍ କରିଥିବା ତାଙ୍କ ପୁଅ ସୌମ୍ୟରଞ୍ଜନ। ସନ୍ଧ୍ୟାହେଲେ ରୋଷେଇ କରି ଖାଦ୍ୟ ଭର୍ତ୍ତି ବାଲ୍ଟି ଧରି ଘରୁ ବାହାରି ପଡ଼ନ୍ତି। ସାଙ୍ଗରେ ବିସ୍କୁଟ ପ୍ୟାକେଟ ମଧ୍ୟ ନେଇଥାନ୍ତି। ରାସ୍ତାରେ ବୁଲି ମା’ ପୁଅ ବହୁ ବୁଲା କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି। ମଣିଷ ତ କେମିତି କ’ଣ ଚଳିଯାଉଛି, ହେଲେ ବୁଲାକୁକୁର କଥା କେହି ବୁଝୁନାହାନ୍ତି ବୋଲି କ୍ଷୋଭର ସହ କହିଛନ୍ତି ସୌମ୍ୟ।