ବୁଲା ଗୋରୁଙ୍କ ପାଇଁ ବଢୁଛି ଦୁର୍ଘଟଣା

ଉଦଳା,୬ା୯(ଡି.ଏନ୍‌.ଏ.)- ଦେଶ ତମାମ ଟ୍ରାଫିକ୍‌ ବ୍ୟବସ୍ଥା ଏବେ କଡାକଡି କରାଯାଇଛି। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଗାଡି ଚାଳକ। ମାତ୍ର ଉଦଳାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ବୁଲା ଗୋରୁ ବୁଲୁଥିବାରୁ ଦୁର୍ଘଟଣା ସଂଖ୍ୟା ବଢି ଚାଲିଛି। ସହରରେ ବୁଲା ଗୋରୁଙ୍କ ଉତ୍ପାତ ଯୋଗୁ ପଥଚାରୀଙ୍କଠାରୁ ଆରମ୍ଭ କରି ଗାଡିଚାଳକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଉଦଳା ଥାନା ଛକଠାରୁ ଚକାଡୋଳା ମାର୍କେଟ ଏବଂ ଚକାଡୋଳା ମାର୍କେଟ ଠାରୁ ଆରମ୍ଭ କରି ଉଦଳା ମୁଖ୍ୟ ବଜାର ରାସ୍ତା ଦେଇ ହାଇସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତା ମଝିରେ ଗୋରୁ ଶୋଇ ରହୁଥିବାରୁ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେଉଛି। ଏପରିକି ଅନେକ ସମୟରେ ବଜାରରେ ବୁଲୁଥିବା ଷଣ୍ଢଗୁଡିକ ମଧ୍ୟରେ ଲଢେଇ ଲାଗୁଥିବାରୁ ଅନେକ ଗାଡିଚାଳକ ଆହତ ହେଉଥିବା ନଜିର ରହିଛି। ଏଭଳି ସମସ୍ୟା ଦୀର୍ଘ ଦିନ ହେବ ଲାଗି ରହିଥିବା ବେଳେ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି ା କିଛି ଦିନ ତଳେ ବାରିପଦାରୁ ଉଦଳା ଅଭିମୁଖେ ଆସୁଥିବା ଜଣେ ବ୍ୟକ୍ତି ରାତିରେ ରାସ୍ତା ମଝିରେ ଗାଈ ଶୋଇଥିବା ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଥିଲେ। ଏନଏସି କର୍ତ୍ତୃପକ୍ଷ କିମ୍ବା ପୋଲିସ୍‌ ଦିଗରେ ପଦକ୍ଷେପ ନ ନେଇ ନୀରବ ରହୁଥିବା ଅଭିଯୋଗ ହେଉଛି। ଏଥିନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ସେ କିଭଳି ରାସ୍ତାରୁ ଗୋରୁଙ୍କୁ ହଟାଯାଇପାରିବ ସେ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ା