Advertisement

ବୁଲା ଗୋରୁ, କୁକୁରଙ୍କୁ ଆହାର ଯୋଗାଇଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୨୬।୩- ଲକ୍‌ଡାଉନ୍‌ ପରେ ସାଧାରଣ ଜନତାଙ୍କ ଅପେକ୍ଷା ବୁଲା ଗୋରୁ, କୁକୁରଙ୍କ ଆହାର ଚିନ୍ତା ବଢ଼ିଯାଇଛି। ଏହାକୁ ହୃଦୟଙ୍ଗମ କରି ବରଗଡ଼ ସହରର ୭ ସ୍ବେଚ୍ଛାସେବୀ ଯୁବକ ବୁଧବାରରୁ ଘରୁ ପଦାକୁ ବାହାରି ସେମାନଙ୍କ ସାହାଭରସା ପାଲଟିଛନ୍ତି। ଏକ ଅଟୋରେ ରନ୍ଧାଖାଦ୍ୟ ଧରି ସହରର ବିଭିନ୍ନ ସ୍ଥାନ ବୁଲିବା ସହିତ ବୁଲା ଗୋରୁ, କୁକୁରଙ୍କୁ ତାହା ସେମାନେ ଖାଇବାକୁ ଦେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଏହି ଅଭିଯାନ ଜାରି ରହିଥିବ ବୋଲି ସ୍ବେଚ୍ଛାସେବୀ ଯୁବକମାନେ କହିଛନ୍ତି। ବୁଲା ଗୋରୁ, କୁକୁରଙ୍କ ପ୍ରତି ସ୍ବେଚ୍ଛାସେବୀମାନଙ୍କ ଏଭଳି କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ବରଗଡ଼ ସହର ଭଟଲି ଛକ ନିକଟରେ ସ୍ଥାନୀୟ ବିଶ୍ୱରଞ୍ଜନ ତ୍ରିପାଠୀଙ୍କ ଏକ ପେଟ୍‌ ଫ୍ରେଣ୍ଡଲି ହାଉସ୍‌ ଡଗି ଷ୍ଟାଇଲ୍‌ ରହିଛି । ପୋଷା ପଶୁପକ୍ଷୀଙ୍କ ପ୍ରତି ତାଙ୍କ ସ୍ନେହ, ମମତା ଥିବାରୁ ଲକ୍‌ ଡାଉନ୍‌ ପରେ ବାହାରେ ବୁଲୁଥିବା ଗୋରୁ, କୁକୁର କିଭଳି ଖାଇବାକୁ ପାଇବେ ସେଥିପାଇଁ ସେ ଓ ତାଙ୍କ ସହଯୋଗୀ ବନ୍ଧୁ ଚିନ୍ତା କରିଥିଲେ। ଏହାପରେ ନିଜ ମଧ୍ୟରେ ପାଣ୍ଠି ସଂଗ୍ରହ କରି ନିଜେ ଖାଦ୍ୟ ରାନ୍ଧିଥିଲେ। ପରେ ତାକୁ ସହରରେ ବୁଲି ବୁଲା ଗୋରୁ, କୁକୁରଙ୍କୁ ଖାଇବାକୁ ଦେଉଥିବା ବିଶ୍ୱରଞ୍ଜନ କହିଛନ୍ତି । ତାଙ୍କ କହିବା ଅନୁସାରେ କୁକୁରଙ୍କ ପାଇଁ ଭାତ, ଚିକେନ, ମିଲ୍‌ ମେକର ଏବଂ ଗୋରୁଙ୍କ ପାଇଁ ଭାତ ସାଙ୍ଗକୁ ବିଭିନ୍ନ ପନିପରିବାରୁ ରନ୍ଧାଖାଦ୍ୟ ପ୍ରସ୍ତୁତ କରିଥିଲେ। ବିଶ୍ୱରଞ୍ଜନଙ୍କ ସମେତ ଅନ୍ୟ ସ୍ବେଚ୍ଛାସେବୀ ଶ୍ୱେତରଞ୍ଜନ ତ୍ରିପାଠୀ, ଅମନ ଦ୍ୱିବେଦୀ, ଜଙ୍ଗ ବାହାଦୂର, ଆଲୋକ ତ୍ରିପାଠୀ, ସୋମେଶ ଶତପଥୀ ପ୍ରମୁଖ ଏଥିରେ ସାମିଲ ଥିଲେ। ନିଜେ ସବୁ ଖାଦ୍ୟ ରାନ୍ଧିିବା ପରେ ତାକୁ ଏକ ଅଟୋରେ ଧରି ସହରର ବିଭିନ୍ନ ଅଞ୍ଚଳରେ ସେମାନଙ୍କ ଆଖିରେ ପଡୁଥିବା ଗୋରୁ, କୁକୁରଙ୍କୁ ଖାଇବାକୁ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share