ବୁଲୁଛି ‘କରୋନା’ ଗାଡି

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଅମାନିଆ ଲୋକଙ୍କୁ ସଚେତନ କରିବାକୁ ପ୍ରଥମେ ଭୁବନେଶ୍ୱରରେ କରୋନା ସ୍ଥାପତ୍ୟ ନିର୍ମାଣ କରିଥିଲେ କେତେଜଣ ଶିଳ୍ପୀ। ଏବେ ରାଜଧାନୀ ରାଜରାସ୍ତାରେ ବୁଲିବୁଲି ସଚେତନ କରୁଛି କରୋନା ଗାଡ଼ି। ଖଣ୍ଡଗିରି ବାସିନ୍ଦା ଶିଳ୍ପୀ ପ୍ରମୋଦ ମୁଦୁଲି ନିଜ ସ୍କୁଟିକୁ ଫୋମ୍‌ ଓ ବିଭିନ୍ନ ରଙ୍ଗରେ କରୋନା ଆକୃତି ତିଆରି କରି ନିଆରା ପ୍ରୟାସ କରିଛନ୍ତି। ଏଥିରେ ସେ ସରକାରଙ୍କ କରୋନା ସମ୍ପର୍କିତ ବିଭିନ୍ନ ନିୟମରୁ ଆରମ୍ଭ କରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଘରେ ସୁରକ୍ଷିତ ରହିବା ପାଇଁ ବାର୍ତ୍ତା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ମରାମତି ଗ୍ୟାରେଜ୍‌ ବନ୍ଦ ଥିତ୍ବାରୁ ନିଜେ ଏଥିରେ ବହୁ ଓ୍ବେଲ୍ଡିଂ କରି ଆଉ ୨ ଚକ ମଧ୍ୟ ଲଗାଇଛନ୍ତି। ଏଥିପାଇଁ ତାଙ୍କୁ ପ୍ରାୟ ସପ୍ତାହେ ଲାଗିଥିବାବେଳେ ଅଧିକ ଆକର୍ଷଣୀୟ କରିବା ପାଇଁ ଏହାକୁ କରୋନା ସଦୃଶ ଚିତ୍ରିତ କରିଛନ୍ତି। ଏଥିସହିତ ଓଡ଼ିଶାବାସୀଙ୍କ ମନରେ ସାହସ ଭରିବାକୁ କରୋନା ହାରିବ, ଓଡ଼ିଶା ଜିତିବାର ବାର୍ତ୍ତା ଦେଉଛନ୍ତି ପ୍ରମୋଦ।
ମଙ୍ଗଳବାର ଖଣ୍ଡଗିରି ପୋଲିସ ନିକଟରୁ ଅନୁମତି ଆଣିବାପରେ ସେ ଭୁବନେଶ୍ୱର ସହରର ଗଳିକନ୍ଦିରେ ବୁଲି ଲୋକଙ୍କୁ ସଚେତନ କରିଥିଲେ। ଖଣ୍ଡଗିରି, ରାଜମହଲ, ୟୁନିଟ୍‌-୮, ସିଆରପି, ଶିରିପୁର ଆଦି ସ୍ଥାନରେ କରୋନା ଗାଡି ବୁଲାଇଥିଲେ। ଏସମ୍ପର୍କରେ ପ୍ରମୋଦ କୁହନ୍ତି, ଭୁବନେଶ୍ୱର କରୋନାର ଏକ ପ୍ରମୁଖ ହଟ୍‌ସ୍ପଟ୍‌। ଏଭଳିସ୍ଥଳେ କିଛି ଲୋକ ସଚେତନ ହୋଇଥିବା ବେଳେ ବସ୍ତିବାସିନ୍ଦା ଏବେ ବି ଏ ସମ୍ପର୍କରେ ଜାଣିନାହାନ୍ତି। ତେଣୁ ସେହି ଲୋକମାନଙ୍କୁ ସଚେତନ କରିବା ମୋର ପ୍ରାଥମିକ ଲକ୍ଷ୍ୟ। ଏହାବ୍ୟତୀତ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଉଥିବା କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଉଛି ବୋଲି ସେ କହିଛନ୍ତି।

Share