ବୁଲୁଥିବା ଲୋକଙ୍କୁ ଇ-ଚାଲାଣ, ପୋଲିସର ମୃଦୁ ଲାଠି ଚାଳନା

ବ୍ରହ୍ମପୁର ଅଫିସ,୨୬ା୩-କରୋନାର ମୁକାବିଲା ତଥା ସଂକ୍ରମଣକୁ ରୋକିବା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ର ପଞ୍ଚମ ଦିନରେ ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲା। ବାରମ୍ବାର ସଚେତନତା ସତ୍ତ୍ୱେ ସହରବାସୀ ଘରୁ ବାହାରୁଥିବା ଦେଖିବାକୁ ମିଳୁଛି। ଗୁରୁବାର ପୋଲିସ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରଶାସନ ପକ୍ଷରୁ ସକାଳ ୭ ଟାରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିର୍ଦ୍ଦେଶନାମା ରହିଛି। ତେବେ ଏହି ସମୟରେ ଅନେକ ଲୋକ ସାମଗ୍ରୀ ନେବା ଆଳରେ ଅଯଥାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଯଥାରେ ବୁଲୁଥିବା ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଗୁରୁବାର ସକାଳ ୮ଟାରୁ ପୋଲିସ ବିଭିନ୍ନ ଛକରେ ଯାଞ୍ଚ କରିଥିଲା। ନୂଆ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଯାଞ୍ଚ ବେଳେ ଅଯଥାରେ ବୁଲୁଥିବା କେତେଜଣ ଲୋକଙ୍କୁ ପୋଲିସ ମୃଦୁ ଲାଠି ଚାଳନା କରିଥିବା ଦେଖିବାକୁ ମିଳୁଥିଲା। ସେହିପରି ସକାଳୁ ଗେଟବଜାର, ଅର୍ନ୍ନପୂର୍ଣ୍ଣା ମାର୍କେଟ, ଏସ୍‌ଏନ୍‌ଟି ରୋଡକୁ ପ୍ରମୁଖ ସ୍ଥାନକୁ ମଧ୍ୟ ପୋଲିସ ପକ୍ଷରୁ ବ୍ଲକିଂ କରାଯାଇଥିଲା । ଲକ୍‌ ଡାଉନ୍‌କୁ ଅବମାନନା କରୁଥିବା କିଛି ଲୋକଙ୍କ ଉପରେ ଇ-ଚାଲାଣ କାଟିଥିବା ମଧ୍ୟ ଜଣାପଡିଛି।

Share