Categories: ବାଣିଜ୍ୟ

ବୁଲେଟ ଟ୍ରେନ ପ୍ରକଳ୍ପ ଲାଗି ମିଳୁନି ଜମି

ନୂଆଦିଲ୍ଲୀ,୨୩-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ମୁମ୍ବାଇ-ଅହମ୍ମଦାବାଦ୍‌ ବୁଲେଟ ଟ୍ରେନ ପ୍ରକଳ୍ପ ଆଗେଇ ପାରୁ ନାହିଁ। ଏହି ପ୍ରକଳ୍ପ ପାଇଁ ଭୂମି ଅଧିଗ୍ରହଣ ଏକ ବଡ଼ ସମସ୍ୟା ହୋଇଛି। ଅଦ୍ୟାବଧି ଆବଶ୍ୟକ ଜମି ମଧ୍ୟରୁ ମିଳିଛି ମାତ୍ର ୩୯% ବୋଲି ରାଷ୍ଟ୍ରୀୟ ହାଇସ୍ପିଡ୍‌ ରେଳ କର୍ପୋରେଶନ ଲିମିଟେଡର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ର ଓ ଗୁଜରାଟରେ ଆବଶ୍ୟକ ୧୩୮୭ ହେକ୍ଟର ଜମି ମଧ୍ୟରୁ ୫୩୭ ହେକ୍ଟର ଅଧିଗ୍ରହଣ କରାଯାଇଛି। ଗୁଜରାଟରେ ୯୪୦ ହେକ୍ଟର ମଧ୍ୟରୁ ମିଳିଛି ମାତ୍ର ୪୭୧ ହେକ୍ଟର ଜମି ଏବଂ ମହାରାଷ୍ଟ୍ରରେ ୪୩୧ ହେକ୍ଟର ମଧ୍ୟରୁ ଅଧିଗ୍ରହଣ କରାଯାଇଛି ୬୬ ହେକ୍ଟର। ଦାଦ୍‌ରା ଏବଂ ନଗର ହାବେଲୀରେ ଆବଶ୍ୟକ ୯ ହେକ୍ଟର ମଧ୍ୟରୁ ସରକାର ଇଞ୍ଚେ ମଧ୍ୟ ହେଲେ ଜମି ଅଧିଗ୍ରହଣ କରିପାରିନାହାନ୍ତି। ସୂଚନାଥାଉ କି, କେନ୍ଦ୍ର ସରକାର ଜମି ଅଧିଗ୍ରହଣ ଅବରୋଧକୁ ଶେଷ କରିବା ଲାଗି ଗତବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଏକ ସମୟସୀମା ଧାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ଜାପାନୀ ସମକକ୍ଷ ଶିଞ୍ଜୋ ଆବେ ୨୦୧୭ ସେପ୍ଟେମ୍ବର ୧୪ରେ ୧.୦୮ ଲକ୍ଷ କୋଟି ଟଙ୍କାର ୫୦୮କିମି ଲମ୍ବାର ଅହମ୍ମାଦାବାଦ୍‌-ମୁମ୍ବାଇ ହାଇସ୍ପିଡ୍‌ ରେଲ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୨ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ଲାଗି ସମୟସୀମା ଧାର୍ଯ୍ୟ କରାଯାଇଛି। ଏଥିଲାଗି ଜାପାନ ଅନ୍ତରାଷ୍ଟ୍ରୀୟ ସହଯୋଗ ଏଜେନ୍ସି(ଜାଇକା) ଏବଂ ରେଳ ମନ୍ତ୍ରଣାଳୟ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲା।

Share