‘ବୁଲ୍‌ବୁଲ୍‌’କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ତତ୍ପରତା : ସମୁଦ୍ରକୂଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଗଲା

ରାଜନଗର,୮।୧୧(ଡି.ଏନ୍‌.ଏ.): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ବୁଲ୍‌ବୁଲ୍‌’ର ରୂପନେଇ ସ୍ଥଳଭାଗ ଆଡ଼କୁ ମୁହାଁଇଛି। ଏହାର ପ୍ରଭାବରେ ଶୁକ୍ରବାର ସକାଳୁ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ଲାଗିରହିଛି। ତେବେ ଏହାକୁ ସାମ୍ନାକରିବା ଲାଗି ସମୁଦ୍ରକୂଳିଆ ଅଞ୍ଚଳ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବା ସହ ଖାଦ୍ୟ ଯୋଗାଇ ଦେବା ଲାଗି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବା ପରେ ସକାଳୁ ରାଜନଗର ସିଡିପିଓ ପୁଷ୍ପଲତା ବାଗ, ତହସିଲଦାର ଦ୍ୱିବ୍ୟେନ୍ଦୁ କୁମାର ଦାସ ସ୍ଥିତି ପରଖିଛନ୍ତି। ଏହା ସହ ବ୍ଲକର ସମୁଦ୍ରକୂଳିଆ ଗ୍ରାମ ବିଶେଷ କରି ସୁନ୍ଦରୀପାଳ, ପେଣ୍ଠ, ଏଣ୍ଡୁଳାପୁର, ପ୍ରସନ୍ନପୁର ଅଢ଼ାଶୋଲ, ସାତଭାୟା, ରବିନ୍ଦ୍ରପଲ୍ଲୀ, ପ୍ରହରାଜପୁର ବ୍ରଜରାଜପୁରର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯାଇଛି।
ଅପରପକ୍ଷେ ବହୁ ବିଳମ୍ବରେ ଚାଷକାର୍ଯ୍ୟ ଶେଷ ହୋଇଥିଲେ ସୁଦ୍ଧା ଧାନ ପାଚିବାକୁ ଯାଉଥିବା ବେଳେ ଏହି ବାତ୍ୟା ଜନିତ ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ ରହିଛନ୍ତି।

Share