ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲା ଭାଜପା ପ୍ରତିନିଧିମଣ୍ଡଳୀ:

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହି ସବୁ ଜିଲାରେ ପ୍ରାୟ ୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ବାତ୍ୟା ଯୋଗୁ ଥୋଡୁଓ ଧାନ ଅତ୍ୟଧିକ ମାତ୍ରାରେ କ୍ଷତି ହୋଇଛି। ଥୋଡୁଅ ସମୟରେ ବର୍ଷା ହେବା ଫଳରେ ଧାନ ଫସଲ ନଷ୍ଟ ହୋଇଯାଇଛି। ରାଜ୍ୟ ସରକାର ତୁରନ୍ତ ସେମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ରାଜ୍ୟ ଭାଜପାର ଏକ ପ୍ରତିନିଧି ଦଳ ସୋମବାର କେନ୍ଦ୍ରାପଡା ଜିଲାର ପ୍ରଭାବିତ ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳ ବୁଲିବା ସହିତ ମୃତକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଉକ୍ତ ଅଞ୍ଚଳରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଯାଇଥିଲେ। ସ୍ଥାନୀୟ ଜନସାଧାରଣଙ୍କ ଦୁଃଖକୁ ଜାଣିବାକୁ ଯାଇ ଏହି ପ୍ରତିନିଧିଦଳ ଜିଲା ପ୍ରଶାସନ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏପରି କି ରିଲିଫ୍‌ ଆକାରରେ କାୈଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିନି। ଏଭଳି ସମୟରେ ରାଜ୍ୟ ସରକାର ବିଳମ୍ବ ନ କରି ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବାକୁ ଭାଜପା ଦାବି କରିଛି।

Share