‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି: ସମିତି କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ରୂପ୍‌ସା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସମିତିରୁ ଋଣ ଛାଡ଼ କରିବା ସହ ସରକାରୀ ସହାୟତା ଦାବିରେ ଧାରଣା ଦିଆଯାଇଥିଲା। ସମିତି ଅନ୍ତର୍ଗତ କସିପଦା, ରୂପ୍‌ସା, ଆଙ୍କୋ ଆଦି ପଞ୍ଚାୟତର ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ ଚାଷ କ୍ଷତି ଯୋଗୁ ଦାବି ପୂରଣ ଦିଗରେ ଯୁବନେତା ମନୋରଞ୍ଜନ ନାୟକ, ଚାଷୀ ରବୀନ୍ଦ୍ର ବେହେରା, ସହଦେବ ବେହେରା, ପୂର୍ଣ୍ଣଚନ୍ଦ୍ର ଜତି, ସଞ୍ଜୟ ଜେନା, ସଦାଶିବ ବିଶ୍ୱାଳଙ୍କ ସମେତ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ କରିଥିଲେ। ସମିତି ସମ୍ପାଦକ ଧାରଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ତୁରନ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଚାଷୀମାନେ ସମ୍ପାଦକଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
ସମିତି ଅନ୍ତର୍ଗତ କସିପଦା, ରୂପ୍‌ସା, ଆଙ୍କୋ ଆଦି ପଞ୍ଚାୟତରେ ୮୦ ପ୍ରତିଶତ ଚାଷୀ ବାତ୍ୟା, ବର୍ଷାରେ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ସରକାରୀ ଅଧିକାରୀଙ୍କ ସର୍ଭେ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଥିବାରୁ ଚାଷୀଙ୍କୁ ସହାୟତା ମିଳିବା ନେଇ ଆଶଙ୍କା ଦେଖାଦେଇଛି। ଏଥିସହ ସମିତିରୁ ଋଣ ନେଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ଚାଷୀ ଅମଳ ଆଶା ନ ଥିବାରୁ ଋଣ ଛାଡ଼ ସହ ସହାୟତା ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Share