‘ବୁଲ୍‌ବୁଲ୍‌’ କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି ତେଜିଲା: ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଭାଜପାର ଆନ୍ଦୋଳନ

ରୂପ୍‌ସା, ୧୯।୧୧(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଆର୍‌ଆଇ ଅଫିସ ସମ୍ମୁଖରେ ଭାଜପା ପକ୍ଷରୁ ମଙ୍ଗଳବାର ଆନ୍ଦୋଳନ କରାଯାଇଛି। କସିପଦା, ରୂପ୍‌ସା, ଆଙ୍କୋ ପଞ୍ଚାୟତରେ ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଦିନତମାମ୍‌ ଆର୍‌ଆଇ ଅଫିସ୍‌ ଖୋଲା ଯାଇ ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଆଲୋଚନା ପାଇଁ ପହଞ୍ଚତ୍ ନ ଥିଲେ। ଫଳରେ ଆଗାମୀ ଦିନରେ ୬୦ନଂ. ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ରୂପ୍‌ସା ମଣ୍ଡଳ ସଭାପତି ତପନ କୁମାର ଗିରି ଓ ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରାଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।

ବର୍ଷା, ବାତ୍ୟା ଯୋଗୁ ଏହି ୩ଟି ପଞ୍ଚାୟତ ଚାଷ ଜମିରେ ଧାନଗଛ ପାଣିରେ ଭାସୁଛି। ଶତକଡ଼ା ୮୦ଭାଗ ଖରିଫ୍‌ ଧାନଚାଷ କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା ଅଧିକାରୀ ମାତ୍ର ୩୦ପ୍ରତିଶତ କ୍ଷତି ହୋଇଥିବା ନେଇ ରିପୋର୍ଟ ଦାଖଲ କରିଥିବାରୁ ଚାଷୀଙ୍କୁ ସହାୟତା ମିଳିବାର ସମ୍ଭାବନା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଠିକ୍‌ ରିପୋର୍ଟ ପ୍ରଦାନ ପୂର୍ବକ କ୍ଷୟକ୍ଷତି ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ବିଭାଗୀୟ ପଦକ୍ଷେପ ନେବା ଦାବିରେ ଆର୍‌ଆଇ ଅଫିସ୍‌ ସମ୍ମୁଖରେ ଆନ୍ଦୋଳନ ହେବ ବୋଲି ସୋମବାର ଲିଖିତ ଭାବେ ତହସିଲଦାରଙ୍କୁ ଅବଗତ କରାଯାଇଥିଲା। କିନ୍ତୁ ଆର୍‌ଆଇ ଅଫିସ୍‌ ନ ଖୋଲିବାରୁ ଉତ୍ତେଜନା ଦେଖାଦେଇଥିଲା। ମଣ୍ଡଳ ସଭାପତି ତପନ କୁମାର ଗିରି, ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା, ପଞ୍ଚାୟତ ସଭାପତି ଚତୁର୍ଭୂଜ ବେହେରାଙ୍କ ନେତୃତ୍ୱରେ ଚାଷୀ ରବୀନ୍ଦ୍ର ବେହେରା, ନିରଞ୍ଜନ ପରିଡ଼ା, ସୃଷ୍ଟିଧର ସେନାପତି, ଗୋପାଳ ବିଶି, ଚିନ୍ତାମଣି ପଣ୍ଡା ଏବଂ ଶ୍ରୀଧର ବେହେରାଙ୍କ ସମେତ ବହୁ ଚାଷୀ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶାସକ ଦଳକୁ ତୀବ୍ର ସମାଲୋଚନା କରିଥିଲେ।

Share