ବାଲିଆପାଳ, ୯।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ବାତ୍ୟା ‘ବୁଲ୍ବୁଲ୍’ର ପ୍ରଭାବ ଦେଖିବାକୁ ମିଳିଛି। ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ରହିଛି। ଏହାର ପ୍ରଭାବରେ ଏକର ଏକର ପାଚିଲା ଧାନ ଜମିରେ ବର୍ଷା ପାଣି ଜମିରହିଛି। ଫଳରେ ଚାଷୀ ଧାନ ଅମଳ ନ କରିପାରି କ୍ଷତିରେ ପଡିବେ ବୋଲି ମୁଣ୍ଡରେ ହାତ ଦେଲେଣି। ସମୁଦ୍ରରେ ବଡ଼ ବଡ଼ ଲହଡ଼ିମାନ କୂଳ ଛୁଇଁବା ସହ ଜୁଆର କ୍ରମଶଃ ବଢ଼ିବାରେ ଲାଗିଛି। ଶୁକ୍ରବାର ରାତିରୁ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ବିଦ୍ୟୁତ୍ ସରବରାହ ନ ଥିବାରୁ ପିଇବା ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୀରେଧୀରେ ପବନର ଗତି ଉଗ୍ର ହେବାରେ ଲାଗିଛି। ସମୁଦ୍ର ଅଶାନ୍ତ ଯୋଗୁ ଉପକୂଳ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଛନ୍ତି।