ବୁଲ୍‌ବୁଲ୍‌ ପ୍ରଭାବ : ଭୁଶୁଡ଼ିଲା ମାଟିଘର, ବ୍ୟାପକ ଫସଲ ନଷ୍ଟ

ସିଂହପୁର,୯।୧୧(ଡି.ଏନ୍‌.ଏ.): ବୁଲ୍‌ବୁଲ୍‌ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ସିଂହପୁର ଅଞ୍ଚଳରେ ମାଟିଘର ଭୁଶୁଡ଼ିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଛି। ୨୪ ଘଣ୍ଟା ଧରି ଅଞ୍ଚଳ ଅନ୍ଧାରରେ ରହିଛି। ଲୋକେ ୬ ମାସ ତଳେ ବାତ୍ୟା ଫନିର ମୁକାବିଲା କରିଥିବା ବେଳେ ଏବେ ପୁଣି ବୁଲ୍‌ବୁଲ୍‌ ପ୍ରଭାବରେ ଭୟଭୀତ ହୋଇପଡ଼ିଛନ୍ତି। ବର୍ଷା ପବନ ଯୋଗୁ ବାଙ୍ଗରା ପଞ୍ଚାୟତର ୧୦ନମ୍ବର ୱାର୍ଡର ଯୁଧିଷ୍ଠିର ପାଗଳ ଓ ୯ ନମ୍ବର ୱାର୍ଡର ନିରଞ୍ଜନ ଜେନାଙ୍କ ମାଟିଘର କାନ୍ଥ ଭୁଶୁଡ଼ି ପଡିଛି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ପୂର୍ବତନ ସମିତିସଭ୍ୟ ଜ୍ଞାନରଞ୍ଜନ ଦାବି କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଚାଳଛପର ଉଡ଼ିଯିବା ସହ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି। ପାଚିଲା ଧାନ ଓ ବିରି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏପରିକି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଚାଷୀ କହିଛନ୍ତିି। ଚଳିତବର୍ଷ କ୍ରମାଗତ ଦୁର୍ବିପାକ ଯୋଗୁ ଚାଷୀ ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି। ବୁଲ୍‌ବୁଲ୍‌ ପ୍ରଭାବରେ ସିଂହପୁର ବଜାର, ବାଛୋଳ ଛକ, ବାଳମକୁଳି ସମେତ ବିଭିନ୍ନ ଛକବଜାର ଜନଶୂନ୍ୟ ହୋଇପଡ଼ିଛି।