ବୃକ୍ଷରୋପଣ ପାଲଟିଛି ପ୍ରହସନ

ଚମ୍ପୁଆ, ୨।୧୦(ଡି.ଏନ.ଏ.)-ଜୀବ ଜଗତ ବଞ୍ଚିରହିବା ତଥା ପରିବେଶର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବା ଅତ୍ୟନ୍ତ ଆବଶ୍ୟକ ହୋଇ ପଡିଥିବା ବେଳେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ବିଶେଷ ଭାବରେ ଖଣି ଖାଦାନ ଦ୍ୱାରା ଉଜୁଡି ଯାଉଥିବା ଜଙ୍ଗଲ ସୃଷ୍ଟି କରିବା କମ୍ପାନୀ ଗୁଡିକର ସାମାଜିକ ଦାୟିତ୍ୱବୋଧତା ପାଲଟି ଯାଇଛି। ମାତ୍ର କେତେକ ଏହି ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ ନ କରି ଖାମ ଖିଆଲି ଭାବେ ବୃକ୍ଷ ରୋପଣ କରୁଥିବାରୁ ଏହି ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଚମ୍ପୁଆ ରେଞ୍ଜରେ ରାମଲା ଠାରେ କମ୍ପାନି ଦ୍ୱାରା କରାଯାଇଥିବା ବୃକ୍ଷ ରୋପଣ କାର୍ଯ୍ୟ। ସୂଚନା ଅନୁସାରେ ୨୦୧୬/୧୭ ମସିହାରେ କମ୍ପାନୀ ଦ୍ୱାରା ରାମଲା ଠାରେ ସହରୀ ବନିକରଣ ଯୋଜନାରେ ୫୦୦୦ ଚାରା ରୋପଣ କରାଯାଇଥିଲା। ଚମ୍ପୁଆ ବନ ବିଭାଗର ସହାୟତାରେ ଏହି ଚାରା ରୋପଣ କରାଯାଇଥିବା ବେଳେ ଚାରା ରୋପଣର ନିୟମ ଗ୍ରହଣ କରାଯାଇ ନ ଥିବା ଦେଖିବାକୁ ମିଳିଛି। ନିୟମ ଅନୁସାରେ ଚାରା ଗୁଡିକୁ ପଲିଥିନ ପ୍ୟାକେଟରୁ ବାହାର କରି ଲଗାଇବା କଥା ମାତ୍ର ଅନେକ ଚାରାରେ ପଲିଥିନ ଖୋଲା ନ ଯାଇ ତାହା ଲଗାଯାଇଥିବାରୁ ଅନେକ ଚାରା ମରି ସାରିଥିବା ବେଳେ ପଲିଥିନ ଲଗା ଚାରା ଗୁଡିକ ଠିକ ଭାବେ ବଢି ପାରିନଥିବା ଦେଖିବାକୁ ମିଳିଛି। ଅନଭିଜ୍ଞ କର୍ମଚାରୀ ତଥା ଉପଯୁକ୍ତ ତଦାରଖ ଅଭାବରୁ ଏପରି ହୋଇଥିବା ସ୍ଥାନୀୟ ଲୋକ ମତ ଦେଇଥିବା ବେଳେ କିପରି ଓ କେଉଁ ପରିସ୍ଥିତିରେ ଏଥି ପ୍ରତି ନଜର ହଟାଇ ନିଆଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସମ୍ପର୍କରେ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ରଙ୍କୁ ପଚାରିବାରୁ ଏମିତି ହେବା କଥା ନୁହଁ।ଏହାର ତଦନ୍ତ କରାଯିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ପଚାରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତିି।

Share