ଲାଠୋର, ୨୨ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ବାଦ୍ୟ କଳାକାର ବିନୋଦ ସୁନା। କରୋନା ତାଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଲକ୍ଡାଉନ କଟକଣା ଯୋଗୁ କଳାକାର ବୃତ୍ତିରେ ବାଧା ଉପୁଜିଥିବା ବେଳେ ଏବେ ସେ ଗାଁ ଗାଁ ବୁଲି ଟମାଟୋ ବିକ୍ରି କରୁଛନ୍ତି। ଏଥିରୁ ଯାହା ମିଳୁଛି ସେଥିରେ ବଡକଷ୍ଟରେ ସେ ପରିବାର ଚଳାଉଛନ୍ତି। ବିନୋଦଙ୍କୁ ଯେତେବେଳେ ୧୫ବର୍ଷ ହୋଇଥିଲା ପରିବାରର ଆର୍ଥିକ ଦୁଃସ୍ଥିତି ଯୋଗୁ ପଢା ଛାଡିଲେ। ନିଜର କୌଳିକ ବୃତ୍ତି ଗଣ୍ଡା ବାଜା ବଜାଇବା କାମରେ ବାପାଙ୍କୁ ସାହାଯ୍ୟ କଲେ। ତା’ପରେ ସେ ଏହି ବୃତ୍ତିକୁ ସ୍ଥାୟୀ ଭାବେ ଗ୍ରହଣ କରି ବିଭିନ୍ନ ବିବାହ ବ୍ରତ, ଜାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଜା ବଜାଇ ଦୁଇ ପଇସା ରୋଜଗାାର କରୁଥିଲେ। ଘରଡିହକୁ ଛାଡି ଦେଲେ ତାଙ୍କର ଅନ୍ୟ କୌଣସି ସମ୍ପତ୍ତି ନାହିଁ। ସ୍ତ୍ରୀ କୌଶଲ୍ୟା ଏବଂ ଦୁଇ ଝିଅ ନିଲିମା ଓ ଦେବିକାଙ୍କୁ ନେଇ ତାଙ୍କର ସଂସାର। କରୋନା କଟକଣା ଯୋଗୁ ଗତ ମାର୍ଚ୍ଚ ଶେଷ ସପ୍ତାହରୁ ଘରେ ବସି ରହିଛନ୍ତି। ପଞ୍ଚାୟତ ତରଫରୁ ମିଳୁଛି ୨୦ କେଜି ଚାଉଳ। ସରକାର ବାଦ୍ୟ କଳାକାରଙ୍କ ପାଇଁ କୌଣସି ପ୍ରକାର ପ୍ୟାକେଜ ଘୋଷଣା କଲେନାହିଁ। ଶେଷରେ କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ସାଇକେଲରେ ଗାଁକୁ ଗାଁ ବୁଲି ଟମାଟୋ ବିକ୍ରୟ କରୁଛନ୍ତି। ଏଥିରୁ ପ୍ରତ୍ୟେକ ଦିନ ପ୍ରତ୍ୟହ ୧୫୦ରୁ ୨୦୦ ଟଙ୍କା ଉପାର୍ଜନ ହେଉଛି ବୋଲି କହନ୍ତି ବିନୋଦ।